Categories: ଖେଳ

ଶାହରୁଖ ଖାନ୍‌ଙ୍କ ଦଳ ନାଇଟ୍‌ ରାଇଡର୍ସର ହ୍ୟାଟ୍ରିକ ବିଜୟ

ନୂଆଦିଲ୍ଲୀ, ୨୪।୮: କାରିବୀୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ର ଏକ ମୁକାବିଲାରେ ତ୍ରିନିବାଗୋ ନାଇଟ୍‌ ରାଇଡର୍ସ ୧୯ ରନରେ ବାର୍ବାଡସ୍‌ ଟ୍ରାଇଡେଣ୍ଟସ୍‌କୁ ପରାସ୍ତ କରିଛି। ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌ଙ୍କ ମାଲିକାନାରେ ଥିବା ନାଇଟ୍‌ ରାଇଡର୍ସ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩ ଉଇକେଟ୍‌ ହରାଇ ୧୮୫ ରନ କରିଥିଲା। ଦଳ ପକ୍ଷରୁ କଲିନ୍‌ ମୁନ୍‌ରୋ (୫୦), ଡାରେନ ବ୍ରାଭୋ (୫୪*) ଓ ଅଧିନାୟକ କିରନ ପୋଲାର୍ଡ (୪୧ ରନ, ୧୭ ବଲ୍‌) ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ଜବାବରେ ଜାସନ ହୋଲ୍ଡରଙ୍କ ନେତୃତ୍ୱାଧୀନ ବାର୍ବାଡସ୍‌ ଟ୍ରାଇଡେଣ୍ଟ ୨୦ ଓଭରରେ ୬ ଉଇକେଟ୍‌ ହରାଇ ୧୬୬ ରନ କରିବାକୁ ସମର୍ଥ ହୋଇଥିଲା। ଓପନର୍‌ ଜନସନ ଚାଲର୍‌ସ (୫୨), ସାଇ ହୋପ୍‌ (୩୬) ଓ ହୋଲ୍ଡର (୩୪*) ଭଲ ବ୍ୟାଟିଂ କରିଥିଲେ ମଧ୍ୟ ଦଳକୁ ଜିତାଇ ପାରି ନ ଥିଲେ। ବିଜୟ ସହ ନାଇଟ୍‌ ରାଇଡର୍ସ ଟୁର୍ନାମେଣ୍ଟରେ ହ୍ୟାଟ୍ରିକ ବିଜୟ ହାସଲ କରିଛି। ଏଥିପୂର୍ବରୁ ନାଇଟ୍‌ ରାଇଡର୍ସ ୪ ଉଇକେଟ୍‌ରେ ଗୁୟାନା ଆମାଜନ ଓ୍ବାରିୟର୍ସକୁ ଏବଂ ୭ ଉଇକେଟ୍‌ରେ ଜାମାଇକା ତଲ୍‌ଓ୍ବାସକୁ ପରାସ୍ତ କରିଥିଲା।

Share