ମୋରଡା,୨୬।୭(ସ୍ମାରକ ମାଜୀ): ଶୁକ୍ରବାର ହୋଇଥିବା ପ୍ରବଳ ବର୍ଷାର ପରିଣାମର କରୁଣ ପରିସ୍ଥିତି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକରେ । ଉକ୍ତ ବ୍ଲକ ଅଧୀନ ଜମ୍ଭୀରା ନଦୀର ବଡାମପୁର ନଦୀ ବନ୍ଧ ଭାଙ୍ଗି ଯିବାରୁ ଦୁଇ ହଜାର ଏକର ଚାଷ ଜମି ଜଳମଗ୍ନ ହୋଇଛି । ଫଳରେ ଚାଷ ପାଇଁ ତଳି ଲଗାଇଥିବା ଚାଷୀ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖା ଦେଇଛି । ଗତ କିଛି ଦିନ ତଳେ ହୋଇଥିବା ବନ୍ୟାରେ ଶତାଧିକ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୁଣି ଧାନ ବୁଣି ତଳି କରିଥିଲେ କିନ୍ତୁ ଉକ୍ତ ବନ୍ୟାରେ ଏହା ମଧ୍ୟ ନଷ୍ଟ ହୋଇଯାଇଥିବାରୁ ଚାଷୀ ହତାଶ ହୋଇ ପଡିଛନ୍ତି । ସରକାର ଏମାନଙ୍କୁ ଯଥାଶୀଘ୍ର ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ଚାଷୀ ଜନ୍ମେଞ୍ଜୟ ଗିରି, ମାନସ କୁମାର ନାୟକ, ମୁରଲୀଧର ଦେ ଏବଂ ଅନ୍ୟମାନେ । ସେହିପରି ଉକ୍ତ ବ୍ଲକ ଅଧୀନ ସାନମାଣିଦା ପଞ୍ଚାୟତର ଦହଲିପୁରା ପିଙ୍ଗୁଳି,ପଦ୍ମତୋଳିଆ, ହାଣ୍ଡିଧୁଆ ଗ୍ରାମ ପାଣି ଘେରରେ ଥିବାରୁ ପାଞ୍ଚ ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତେବେ ଶନିବାର ସକାଳୁ ଜିଲାପାଳ ହେମକାନ୍ତ ସାଏ ଉପଜିଲାପାଳ ଦୟାସିନ୍ଧୁ ପରିଡା,, ରାସଗୋବିନ୍ଦପୁର ବିଡ଼ିଓ ଅନନ୍ତ ହାଁସଦା, ଓଡ୍ରାଫ ଟିମ ବୋଟ ଯୋଗେ ପାଣି ଘେରରେ ଥିବା ଗ୍ରାମବାସୀଙ୍କ ନିକଟକୁ ଯାଇ ପରିସ୍ଥିତି ପରଖିଛନ୍ତି । ସେହିପରି କେତେକ ଲୋକଙ୍କୁ ଉପର ଅଞ୍ଚଳକୁ ସ୍ଥାନାନ୍ତର କରାଯାଇ ଖାଦ୍ୟ,ପାନୀୟର ବ୍ୟବସ୍ଥା କରାଯାଇଥିବା ବେଳେ ପାଣି ଘେରରେ ଥିବା ଲୋକଙ୍କୁ ମଧ୍ୟ ଓଡ୍ରାଫ ଟିମ ଦ୍ୱାରା ଖାଦ୍ୟ,ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି । ବନ୍ୟାରେ ପ୍ରଭାବିତ ହୋଇଥିବା ଗାଁ ଗୁଡିକରେ ଏବେ ସ୍ବାସ୍ଥ୍ୟବ୍ୟସ୍ଥା ବିଗିଡି ଯିବାର ସମ୍ଭାବନା ଦେଖା ଦେଇଥିବା ବେଳେ ଏଥିପ୍ରତି ସ୍ବାସ୍ଥ୍ୟ ବିଭାଗ ଅଧିକ ଯତ୍ନବାନ ହେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।


