ନିର୍ମାଣ ହୋଇ ୭ବର୍ଷ ବିତିଗଲାଣି, କାର୍ଯ୍ୟକ୍ଷମ ହୋଇପାରୁନି ଆଦିବାସୀ ହଷ୍ଟେଲ

କେସିଙ୍ଗା,୧୩।୧୦(ତୁମେଶ୍ୱର ସାହୁ): ଗରିବ ଆଦିବାସୀ ହରିଜନ ଛାତ୍ରୀଛାତ୍ରଙ୍କୁ ରହିବା ଖାଇବା ଠାରୁ ମାଗଣାରେ ପାଠ ପଢିବା ପାଇଁ ପୂର୍ବର ବିଜେଡି ସରକାର କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ତୁଣ୍ଡଳା ଗ୍ରାମରେ ଦୁଇଟି ହଷ୍ଟେଲ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ । ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ଦୁଇଟି ହଷ୍ଟେଲ ପୃଥକ ଭାବେ ନିର୍ମାଣ ପାଇଁ ୧କୋଟି ୮୦ଲକ୍ଷ ମଞ୍ଜୁର କରି ଜିଲା ମଙ୍ଗଳ ଅଧିକାରୀ ଭବାନୀପାଟଣାକୁ ଟେଣ୍ଡର ମାଧ୍ୟମରେ ଦାୟିତ୍ବ ଦେଇଥିଲେ । କିନ୍ତୁ ଆଜକୁ ୭ବର୍ଷ ବିତିଗଲାଣି ବିଭାଗୀୟ ଅଧିକାରୀଙ୍କ ଖାମ ଖିଆଲି ଓ ମନମୁଖୀ ଯୋଗୁ ନିରୀହ ଆଦିବାସୀ ହରିଜନ ଛାତ୍ରୀଛାତ୍ର ରହିବା ଖାଇବା ଓ ଅଧ୍ୟୟନ କରିବା ପାଇଁ ଘୋର ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି।

କିନ୍ତୁ ଜିଲା ପ୍ରଶାସନ ଅଧିକାରୀ ,ଜେଇ ଓ ଠିକାଦାରଙ୍କ ମିଳିତ ଉଦ୍ୟମରେ ମଧୁଚନ୍ଦ୍ରିକା ସାଜି ଦୁଇଟି ହଷ୍ଟେଲକୁ ଭୁତ କୋଠରୀ ଭାବେ ପକେଇ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଏହି ହଷ୍ଟେଲରେ କେସିଙ୍ଗା ବ୍ଲକର ତୁଣ୍ଡଳା ପିଏମଶ୍ରୀ ସରକାରୀ ହାଇ ସେକେଣ୍ଡାରୀ ବିଦ୍ୟାଳୟର ଷଷ୍ଠରୁ ୧୦ଶ୍ରେଣୀର ସର୍ବମୋଟ ୪୯୦ ଜଣ ଆଦିବାସୀ, ହରିଜନ ଓ ସାଧାରଣ ବର୍ଗର ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଏଥି ମଧ୍ୟରୁ ଗୋଟିଏ ହଷ୍ଟେଲରେ ୧୨୦ ଲେଖାଏଁ କରି ଦୁଇଟି ହଷ୍ଟେଲର ୨୪୦ଜଣ ଛାତ୍ରୀଛାତ୍ର ରହିବା ପାଇଁ ଏହି ହଷ୍ଟେଲ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ନିର୍ମାଣ କାମ ଆରମ୍ଭ ହୋଇଥିଲା।ଦୁଇଟି ହଷ୍ଟେଲରେ ରଙ୍ଗ ଫାଙ୍କି ଗଲାଣି, କୋଠରୀ ଭିତରେ ଛାତ୍ରୀଛାତ୍ରଙ୍କ ପାଇଁ ଶୋଇବା ପାଇଁ ବ୍ୟବସ୍ଥା ନାହିଁ । ଏମିତିକି ବିଦ୍ୟୁତ ସଂଯୋଗ ମଧ୍ୟ ହୋଇନାହିଁ । ହଷ୍ଟେଲର ମୁଖ୍ୟ ଦ୍ବାରରେ ତାଲା ଝୁଲୁଛି। ତୁଣ୍ଡଳା ଗ୍ରାମ ଭିତରେ ଏହି ହଷ୍ଟେଲ ନିର୍ମାଣ ହୋଇଛି। ଝରକା,ବାଡ଼ା,ଅନେକ ପ୍ରକୋଷ୍ଠରେ କ୍ରେକ ହେବାକୁ ବସିଲାଣି।

ଗ୍ରାମବାସୀ ଅନେକ ଥର ଜିଲାପାଳ, ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କାର୍ଯ୍ୟକ୍ଷମ କାହିଁକି ହେଉ ନାହିଁ ବୋଲି ଚକିତ ହେଉଛନ୍ତି । ଠିକାଦାର ଜଣକ କଳାହାଣ୍ଡି ଓ ବଲାଙ୍ଗୀର ଜିଲାର ସୀମାନ୍ତ ଅଞ୍ଚଳର ବେଲଗା ଗ୍ରାମର ହୋଇଥିବାରୁ କୌଣସି ଯୋଗସୂତ୍ର ରହୁ ନାହିଁ । ଯାହାଫଳରେ ନିର୍ମାଣ କାର୍ଯ୍ୟରେ ଘୋର ସମସ୍ୟା ଦେଖା ଦେଉଛି । ଆସନ୍ତା ମାସ ସୁଦ୍ଧା ନିର୍ମାଣ କାମ ଶେଷ କରି ପି ଏମ୍ ଶ୍ରୀ ସରକାରୀ ହାଇୟର ସେକେଣ୍ଡାରୀ ବିଦ୍ୟାଳୟକୁ ହସ୍ତାନ୍ତର କରାନ ଗଲେ ଜାତୀୟ ରାଜପଥ ୪୯କୁ ଅବରୋଧ କରିବା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଏନେଇ ତୁଣ୍ଡଳା ପିଏମଶ୍ରୀ ସରକାରୀ ହାଇୟର ସେକେଣ୍ଡାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର କୁମାର ପ୍ରଧାନଙ୍କୁ ପଚାରିବାରୁ ଗତ ଦୁଇ ମାସ ତଳେ ଜେଇ ପରିଦର୍ଶନରେ ଆସିଥିଲେ । ସବୁ ଦେଖିଲେ କିନ୍ତୁ ବେଡ଼ ନାହିଁ, ଛାତ୍ରୀଛାତ୍ର ରହିବା ଶୋଇବା ଖାଇବା ପାଇଁ କୌଣସି ସୁବିଧା ନ ଥିବାର ଦେଖି ଫେରି ଯାଇଛନ୍ତି। ମୋତେ ହଷ୍ଟେଲ ଚାର୍ଜ ନେବା ପାଇଁ କହିଥିଲେ କିନ୍ତୁ ଆବଶ୍ୟକ ସାରଞ୍ଜମ ନ ଥିବାରୁ ମୁଁ ମନା କରିଦେଲି ବୋଲି ପ୍ରକାଶ କରିଥିଲେ। ଏ ସଂକ୍ରାନ୍ତରେ ଜେଇ ଏଲ.ଆର.ସ୍ବାଇଁଙ୍କୁ ପଚାରିବାରୁ ମୁଁ ନିର୍ମାଣ ସମୟରେ ନ ଥିଲି, ମୋତେ ନିର୍ମାଣ କାମ ଦେଖିବା ପାଇଁ ବିଭାଗ ପକ୍ଷରୁ ତୁଣ୍ଡଳା କୁ ପଠାଇଥିଲେ, କିନ୍ତୁ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ଆବଶ୍ୟକୀୟ ସାମଗ୍ରୀ ନାହିଁ ବୋଲି ପ୍ରକାଶ କରିଥିଲେ।

 

Dharitri – Odisha’s No.1 Odia Daily

Share
Tags: kesinga news