ବଡ଼ଡୁମ୍ବୁଳା ଗାଁରେ ସିରିଜ ଚୋରି, ମନ୍ଦିର ହୁଣ୍ଡିକୁ ବି ଛାଡ଼ିଲେନି

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମରେ ସିରିଜ ଚୋରି ହୋଇଛି। ରବିବାର ବିଳମ୍ବିତ ରାତିରେ ଗ୍ରାମର ନାଗେଶର ସୁବୁଦ୍ଧିଙ୍କ ଲୁଗାଦୋକାନ,ଦେବରାଜ ସାହୁଙ୍କ ରାସନ ଦୋକାନ, କୈଳାସ ସେଠୀଙ୍କ ପାନ ଦୋକାନ, ସୁଦାମ ଜେନାଙ୍କ ଚା ଦୋକାନ,ରବୀନ୍ଦ୍ର ଜେନା ଓ ଅଭିନ୍ନ ସୁନ୍ଦର ଜାନିଙ୍କ ପୂଜା ସାମଗ୍ରୀ ଦୋକାନର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ୧୦ ହଜାରରୁ ଉଦ୍ଧର୍‌ବ ଟଙ୍କା ଏବଂ ବିଭିନ୍ନ ସାମଗ୍ରୀ ଲୁଟି ନେଇଛନ୍ତି। ଏପରିକି ଗ୍ରାମରେ ପୂଜା ପାଉଥିବା ମା’ ବାଙ୍କେଶ୍ୱରୀ ମନ୍ଦିର ବେଢ଼ାରେ ଥିବା ଶ୍ରୀ ହନୁମାନଙ୍କ ବିଗ୍ରହ ସମ୍ମୁଖରେ ଥିବା ଲୁହାରେ ନିର୍ମିତ ଦାନହୁଣ୍ଡିକୁ ମଧ୍ୟ ଦୁର୍ବୃତ୍ତ ମାନେ ଛାଡି ନାହାନ୍ତି। ଶ୍ରଦ୍ଧାଳୁ ବୃନ୍ଦ ଦର୍ଶନ କରି ହୁଣ୍ଡିରେ ପକାଇଥିବା ଦକ୍ଷିଣା ଅର୍ଥରାଶିକୁ ଦୁର୍ବୃତ୍ତମାନେ ଲୁଟି ନେବାକୁ ପଛାଇନାହାନ୍ତି। ଭୋର ସମୟରେ ପୂଜକ ରାଜୁ ନାହାକ ଶ୍ରୀ ହନୁମାନଙ୍କ ମନ୍ଦିରକୁ ପୂଜାର୍ଚ୍ଚନା କରିବାକୁ ଗଲାବେଳେ ଦାନହୁଣ୍ଡି ଭଙ୍ଗାଯାଇ କିଛିଦୂରରେ ପଡ଼ିଥିବା ଦେଖିଥିଲେ। ଏନେଇ ସେ ଗ୍ରାମବାସୀଙ୍କୁ ଜଣାଇବା ପରେ ସେଠାରେ ଲୋକଙ୍କ ଭିଡ଼ ହୋଇଥିଲା। ସେହିପରି ଗ୍ରାମର ବିଭିନ୍ନ ଦୋକାନ ଗୁଡିକରୁ ଚୋରି ଯାଇଥିବା ଜଣାପଡିଥିଲା। ଏନେଇ ଦିଗପହଣ୍ଡି ଥାନାକୁ ଖବର ଦିଆଯିବା ପରେ ପୋଲିସ ଟିମ ପହଞ୍ଚି ସବିଶେଷ ତଦନ୍ତ କରି ଫେରିଥିବା ଜଣାପଡ଼ିଛି। ଗାଁ ରେ ମଦ,ଗଞ୍ଜେଇ ବେଧଡକ ବିକ୍ରୀ ଚାଲିଛି। କିଛି ନିଶାଡି ଯୋଜନାବଦ୍ଧ ଭାବେ ଏହିସବୁ ଚୋରି ଘଟଣାରେ ସମ୍ପୃକ୍ତ ଥିବା ଗାଁରେ ଚର୍ଚ୍ଚା ଚାଲିଛି। ସେହିପରି ଗତ ଜୁନ ୧୧ ରାତିରେ ବଡ଼ଡୁୁମ୍ବୁଳା ଗ୍ରାମ ନିକଟ ବି. ତୁରୁବୁଡିି ଗ୍ରାମର ଶ୍ରୀ ତୁମ୍ବେଶର ଶୈବପୀଠ ପରିସରରେ ଥିବା ଦାନବାକ୍ସକୁ କେହି ଦୁର୍ବୃତ୍ତ ଭାଙ୍ଗି ପ୍ରାୟ ୬୦ ହଜାରରୁ ଉଦ୍ଧର୍‌ବ ଟଙ୍କା ଲୁଟି ନେଇଥିଲେ।

Dharitri – Odisha’s No.1 Odia Daily

Share