Categories: ବାଣିଜ୍ୟ

ରେକର୍ଡ ସ୍ତରରେ ସେନ୍‌ସେକ୍ସ

ନୂଆଦିଲ୍ଲୀ: ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ମଙ୍ଗଳବାର ରେକର୍ଡ ସ୍ତରରେ ବନ୍ଦ ହୋଇଛି। ୫୦୬ ପଏଣ୍ଟ (୧.୧୫%) ବଢିବା ପରେ ଏହା ୪୪,୬୫୫ ପଏଣ୍ଟ ସ୍ତରରେ ରହିଛି। ବ୍ୟାଙ୍କିଙ୍ଗ, ଆଇଟି ଏବଂ ରିୟଲ ଇଷ୍ଟେଟ ଷ୍ଟକ କାରବାର ଉନ୍ନତ ହେବା ଯୋଗୁ ସୂଚକାଙ୍କ ପ୍ରାୟ ୪୫୦ ପଏଣ୍ଟ ଉଚ୍ଚରେ ରହିଛି। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ)ର ନିଫ୍ଟି ୧୪୦(୧.୦୮%) ଉର୍ଦ୍ଧ୍ୱରେ ରହି ୧୩,୧୦୯ ପଏଣ୍ଟ ଛୁଇଁଛି।
ସେନ୍‌ସେକ୍ସରେ ସନଫାର୍ମା, ଇଣ୍ଡସଇଣ୍ଡ ବ୍ୟାଙ୍କ, ଟେକ୍‌ ମହିନ୍ଦ୍ରା, ଓଏନ୍‌ଜିସି, ଭାରତୀ ଏୟାରଟେଲ, ଇନଫୋସିସ ଏବଂ ଆଇସିଆଇସିଆଇ ବ୍ୟାଙ୍କର ଶେୟାର କାରବାର ବେଶ ଭଲ ପ୍ରଦର୍ଶନ କରିଛି। ଏମାନଙ୍କର ଶେୟାର କାରବାର ପ୍ରାୟ ୫.୫୧% ବଢିଛି। ସେହିଭଳି କୋଟାକ ବ୍ୟାଙ୍କ, ନେସଲେ ଇଣ୍ଡିଆ, ଟାଇଟାନ, ବଜାଜ ଫାଇନାନ୍ସ ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଶେୟାର କାରବାର ପ୍ରାୟ ୧.୩୯% ଖସିଥିବା ନଜରକୁ ଆସିଛି। ଏହାବାଦ ଏନ୍‌ଏସ୍‌ଇ ପ୍ଲାଟଫର୍ମରେ ରିୟଲିଟି, ପିଏସ୍‌ୟୁ ବ୍ୟାଙ୍କ, ଆଇଟି ଏବଂ ଫାର୍ମା ଶେୟାର ୩.୩୩% ବଢିଛି।
କୋଭିଡ୍‌-୧୯ ଠିକା ଆସିବା ଆଶା ବଢିଥିବାରୁ ବିଦେଶୀ ନିବେଶକମାନେ ନିବେଶ ବଢାଉଛନ୍ତି। ଫଳରେ ଭାରତୀୟ ବଜାରକୁ ଏହାର ଲାଭ ମିଳୁଥିବା ଜଣାପଡିଛି। ନଭେମ୍ବରରେ ଉଭୟ ସୂଚକାଙ୍କ ପ୍ରାୟ ୧୧% ବଢିଥିବା ନଜରକୁ ଆସିଛି। ଗୁରୁ ନାନକ ଜୟନ୍ତୀ ଯୋଗୁ ସୋମବାର ବଜାର ବନ୍ଦ ରହିଥିଲା। ସେପ୍ଟେମ୍ବର ତ୍ରୈମାସରେ ଜିଡିପି ୭.୫% ଖସିଛି। ଏହା ପ୍ରଥମ ତ୍ରୈମାସରେ ୨୩.୯% ଖସିଥିଲା। ଜିଡିପିକୁ ନେଇ ମଧ୍ୟ ନିବେଶକଙ୍କ ମଧ୍ୟରେ ଆଶା ରହିଛି। ଅକ୍ଟୋବରରେ ୮ କୋର ସେକ୍ଟର କ୍ଷେତ୍ର ୨.୫% କମିଛି। ଅଶୋଧିତ ତେଲ ପ୍ରାକୃତିକ ବାଷ୍ପ, ରିଫାଇନେରି ପ୍ରଡକ୍ଟ ଏବଂ ଇସ୍ପାତ ଉତ୍ପାଦନ କମିବା ଯୋଗୁ ଏଭଳି ସ୍ଥିତି ଦେଖାଯାଇଛି। ଜିଡିପି ଡାଟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅର୍ଥ ବ୍ୟବସ୍ଥା ଟ୍ରାକକୁ ଫେରୁଥିବା ଏଥିରୁ ଅନୁମାନ ଲଗାଇ ହେବ ବୋଲି କ୍ୟାପିଟାଲ ଭାୟା ଗ୍ଲୋବାଲ ରିସର୍ଚ୍ଚର ମୁଖ୍ୟ ଗୌରବ ଗର୍ଗ କହିଛନ୍ତି।

Share