ଟିକା ନେଲେ ବରିଷ୍ଠ ନାଗରିକ, କାହାଠାରେ ଦେଖାଯାଇନି ପାର୍ଶ୍ୱ ପ୍ରତିକ୍ରିୟା

ହିଞ୍ଜିଳିକାଟୁ,୩।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁରେ ବରିଷ୍ଠ ନାଗରିକଙ୍କୁ ବୁଧବାରଠାରୁ ଆର୍‌ଏମ୍‌ସି ପରିସର ନୂତନ ଉପଖଣ୍ଡ ଚିକିତ୍ସାଳୟରେ କରୋନା ଟିକାକରଣ ଆରମ୍ଭ ହୋଇଛି। ପୌରାଞ୍ଚଳକୁ ୪ଟି ଭାଗରେ ବିଭକ୍ତ କରାଯାଇ ଟିକାକରଣ ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଛି।

ବୁଧବାର ପୌରାଞ୍ଚଳର ୧ ନଂ ଓ୍ବାର୍ଡରୁ ୫ ନଂ ପର୍ଯ୍ୟନ୍ତ ବରିଷ୍ଠ ନାଗରିକଙ୍କ ପାଇଁ କରାଯାଇଥିବା ଟିକାକରଣ ସକାଳ ୧୦ଟାରେ ଆରମ୍ଭ ହୋଇ ଅପରାହ୍ନ ୪ଟାରେ ସରିଥିଲା। ପ୍ରଥମ ଦିନରେ ୧୫୦ ଜଣ ବରିଷ୍ଠ ନାଗରିକଙ୍କୁ ଟିକା ପ୍ରଦାନ କରାଯାଇଛି। ମ୍ୟୁନିସିପାଲିଟିର ୬ରୁ ୧୦ ନଂ ଓ୍ବାର୍ଡ ପାଇଁ ଗୁରୁବାର, ୧୧ରୁ ୧୫ ନଂ ଓ୍ବାର୍ଡ ପାଇଁ ଶୁକ୍ରବାର ଓ ୧୬ରୁ ୨୧ ଓ୍ବାର୍ଡ ପର୍ଯ୍ୟନ୍ତ ବରିଷ୍ଠ ନାଗରିକଙ୍କୁ ଶନିବାର ଟିକା ପ୍ରଦାନ କରାଯିବ। ବରିଷ୍ଠ ନାଗରିକଙ୍କ ଆଧାର କାର୍ଡ଼ରେ ବୟସ ପ୍ରମାଣ ଦେଖାଇ ପଞ୍ଜୀକରଣ ପରେ ଟିକା ପ୍ରଦାନ କରାଯାଉଛି। ଟିକା ନେବା ପରେ କୌଣସି ବ୍ୟକ୍ତିଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇ ନ ଥିବା ଡା. ମାଧବ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।