ବିଜେଡିର ବରିଷ୍ଠ ନେତ୍ରୀଙ୍କ ପରଲୋକ, ଭବାନୀପାଟଣାରେ ଶୋକର ଛାୟା

ଭବାନୀପାଟଣା, ୨୯।୧୧ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ତଥା ଭବାନୀପାଟଣା ନଗର ସଭାନେତ୍ରୀ ସୁତପା ବହିଦାରଙ୍କ ପରଲୋକ ଘଟିଛି । ରବିବାର ଭୋର ପ୍ରାୟ ୨ଟା ୩୦ ମିନିଟ୍‌ରେ ଭବାନୀପାଟଣାସ୍ଥିତ ଶହୀଦ ରେଣ୍ଡୋ ମାଝୀ ଚିକିତ୍ସାଳୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ବିୟୋଗରେ ଜିଲାର ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଥିବା ସୁତପା ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟର ପ୍ରଥମ ଛାତ୍ରୀ ସଭାନେତ୍ରୀ ଭାବେ ନିର୍ବାଚିତ ହୋଇଥିଲେ । ପରେ ବିଜେଡିରେ ଯୋଗଦେଇ ଦୁଇଥର ଭବାନୀପାଟଣା ନଗର ସଭାନେତ୍ରୀ ଦାୟିତ୍ୱ ତୁଲାଇଥିଲେ ।

ତାଙ୍କ ବିୟୋଗରେ ବିଜେଡି ଜିଲା ସଭାପତି ପ୍ରଦୀପ ଦିଶାରୀ, ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦୁ ସିଂଦେଓ, ନର୍ଲା ବିଧାୟିକା ମନୋରମା ମହାନ୍ତି ପ୍ରମୁଖ ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବା ସହ ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ଜିଲା ବିଜେଡିର ବରିଷ୍ଠ ଉପସଭାପତି ଧର୍ମେନ୍ଦ୍ର ନାଏକ, ରାଜ୍ୟ ଯୁବ ଉପସଭାପତି ମନୀନ୍ଦ୍ର ମହାନ୍ତି, ପୂର୍ବତନ ନଗରପାଳ ସଂଯୁକ୍ତା ବେହେରା ଯାଦବ, ଜିଲା ଯୁବ ସଭାପତି ଅବିନାଶ ଠାକୁର, ଜିଲା ମହିଳା ସଭାନେତ୍ରୀ ସବିତା ପ୍ରଧାନଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମୃତ୍ୟୁଶଯ୍ୟା ନିକଟରେ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ ସହ ଦଳୀୟ ପତାକା ଦ୍ୱାରା ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସୁତପାଙ୍କ ବିୟୋଗ ଭବାନୀପାଟଣାର ମହିଳା ନେତୃତ୍ୱ ଓ ବିଜେଡି ସଂଗଠନ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର ରାଜନୈତିକ ଓ ସାଂଗଠନିକ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ।

 

Dharitri – Odisha’s No.1 Odia Daily

Share