କୁଟୁରା ମାଂସ ବିକିବା ମହଙ୍ଗା ପଡ଼ିଲା

କେନ୍ଦୁଝର,୨୮।୧୦(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅଧୀନ ଗୋନାସିକା ଜଙ୍ଗଲରୁ କୁଟୁରା ଶିକାର କରି ମାଂସ ବିକ୍ରି କରୁଥିଲେ। ବନ ବିଭାଗ ଚଢାଉ କରି ଜଣେ ଶିକାରୀଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଚନ୍ଦ୍ରମଣି ଜୁଆଙ୍ଗ। ତାଙ୍କ ଘର ସ୍ଥାନୀୟ ଅଞ୍ଚଳରେ ବୋଲି ଜଣା ପଡ଼ିଛି। ତାଙ୍କଠାରୁ ମାଂସ ଓ କଟୁରୀ ଜବତ ହୋଇଛି ।

ଖବର ପାଇବା ପରେ ରେଞ୍ଜ ଅଧିକାରୀ ମାନସ ମୁର୍ମୁଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା ବୋଲି ଡିଏଫ୍‌ଓ ଡି.ଡି. ହନୁମତ ସୂଚନା ଦେଇଛନ୍ତି। ପୂର୍ବରୁ ଏଭଳି ବହୁ ବାର କୁଟୁରା, ହରିଣ, ବାରହା ଆଦି ଶିକାର ହେଉଥିବା ବେଳେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଉଥିଲେ ହେଁ ଶିକାର ଥମୁ ନ ଥିବାରୁ ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କରୁଛନ୍ତି। ଏଣୁ ଏନେଇ ଅଧିକ ଜନ ସଚେତନତା ସୃଷ୍ଟି କରି ବନ୍ୟ ଜନ୍ତୁଙ୍କ ସୁରକ୍ଷା କରିବାକୁ ଦାବି ହେଉଛି।