ସ୍ବାବଲମ୍ବୀ କରିଛି ଅର୍ଗାନିକ ଚାଷ

ଯୋଡା,୨୫ା୮(ମାନସ ମହାନ୍ତି): କାନପୁର ଡ୍ୟାମ୍‌ ପାଇଁ ବିସ୍ଥାପିତ ହୋଇ ଯୋଡ଼ାକୁ ଆସିଥିଲେ। ପରିବାର ଚଳାଇବା ପାଇଁ ବିଭିନ୍ନ ଖଣି ବୁଲି ମଧ୍ୟ ରୋଜଗାର ପାଇ ନ ଥିଲେ। ଶେଷରେ ନିଜ ଉଦ୍ୟମ ବଳରେ ଯୋଡ଼ା ଭଳି ଖଣି ଉପତ୍ୟକାରେ ହରିତ ବିପ୍ଲବର ଶୁଭାରମ୍ଭ କରି ପାରିଛନ୍ତି। ଅର୍ଗାନିକ ଚାଷ କରି ଅଞ୍ଚଳରେ ଜଣେ ସଫଳ ଚାଷୀ ଭାବେ ପରିଚୟ ଲାଭ କରିପାରିଛନ୍ତି। ତାଙ୍କ ଦ୍ୱାରା ଅମଳ ପନିପରିବାର ବଜାରରେ ଚାହିଦା ରହିଛି। ବଜାର ଦରଠାରୁ କମ ଓ ଅର୍ଗାନିକ ହୋଇଥିବାରୁ ଲୋକଙ୍କ ପ୍ରଥମ ପସନ୍ଦ ହୋଇପାରିଛନ୍ତି ଗଙ୍ଗାଧର ବାନରା।
ସୂଚନାଯୋଗ୍ୟ, ୫ ବର୍ଷ ପୂର୍ବରୁ କାନପୁର ବୃହତ୍‌ ଜଳସେଚନ ପ୍ରକଳ୍ପରୁ ବିସ୍ଥାପିତ ହୋଇ ଗଙ୍ଗାଧର ପରିବାର ସହ ଖଣିରେ କାମ କରିବାକୁ ଯୋଡ଼ା ଆସିଥିଲେ। ଖଣିରେ କାର୍ଯ୍ୟ ନ ପାଇ ଚାଷ କାର୍ଯ୍ୟ କରି ଜୀବିକାର୍ଜନ କରିବାକୁ ଚିନ୍ତା କରିଥିଲେ। ଯୋଡ଼ା ସହରରେ ବୃଦ୍ଧାଶ୍ରମ ନିକଟରେ ପଡ଼ିଆ ପଡ଼ିଥିବା ଜମିକୁ ଭଡ଼ା ସୂତ୍ରରେ ନେଇ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ୪ ଏକର ଜମିରେ ସେ ଝୁଡ଼ଙ୍ଗ, ଜହ୍ନି, କଲରା, ଲାଉ ଆଦି ବିଭିନ୍ନ ପ୍ରକାର ପନିପରିବା ସହିତ ଲାଭଦାୟକ ପରିବା ଭାବେ ବାଇଗଣ ଓ କୋବି ଚାଷ କରୁଛନ୍ତି। ପ୍ରାୟ ଦୈନିକ ଏକ କୁଇଣ୍ଟାଲ ବାଇଗଣ ଅମଳ କରି ବିକ୍ରି କରିଥାନ୍ତି। ସେହିପରି ପ୍ରତିବର୍ଷ ପ୍ରାୟ ୪ ହଜାରରୁ ଊଦ୍ଧର୍‌ବ କୋବି ଅମଳ କରନ୍ତି। ଚାଷରେ ରାସାୟନିକ ସାର ପରିବର୍ତ୍ତେ ଅର୍ଗାନିକ ଜୀବ ଅମୃତ ସାରର ପ୍ରୟୋଗ କରି ଅଧିକ ଅମଳ ତଥା ପରିବାର ଗୁଣବତ୍ତାକୁ ଅଧିକ ବୃଦ୍ଧି କରିଥାଆନ୍ତି ବୋଲି ଗଙ୍ଗା କହିଛନ୍ତି। ଅର୍ଗାନିକ ଜୀବଅମୃତ ସାର ପ୍ରସ୍ତୁତ କରିବା ପାଇଁ ସେ ଖତ, ଗୋମୂତ୍ର, ଗୁଡ଼, ବେସନ ଓ ବରଗଛ ମୂଳର ମାଟି ବ୍ୟବହାର କରନ୍ତି। ବଡ଼ ଡ୍ରମ୍‌ରେ ସବୁ ସାମଗ୍ରୀକୁ ରଖି ଏହାକୁ ସାତଦିନ ମଧ୍ୟରେ ଜମିରେ ପ୍ରୟୋଗ କରନ୍ତି। ଏହା ସହିତ ଜମିର ଉର୍ବରତା ବୃଦ୍ଧି କରିବା ପାଇଁ ସୁଦୂର ଗାଜିଆବାଦରୁ ଉର୍ବରକ ୱେଷ୍ଟିଜ କମ୍ଫଜର ମଗାଇଥାଆନ୍ତି। ଏହାଦ୍ବାରା ଜମିରେ ଶୀଘ୍ର କୃତ୍ରିମ ଭାବେ ଜିଆ ସୃଷ୍ଟି ହୋଇ ଜମିର ଊର୍ବରତା ବୃଦ୍ଧି ପାଇଥାଏ। ବଜାର ମୂଲ୍ୟଠାରୁ ଅପେକ୍ଷାକୃତ କମ୍‌ ମୂଲ୍ୟରେ ଗଙ୍ଗା ପରିବା ବିକ୍ରି କରିଥାଆନ୍ତି। ସ୍ଥାନୀୟ ଅଞ୍ଚଳର ବାସିନ୍ଦା ତଥା ଯୋଡ଼ା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର କୁହନ୍ତି, ଗଙ୍ଗା ବହୁ ପରିଶ୍ରମ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ପରିବା ଚାଷ କରନ୍ତି। ଚାଷ କାମରେ ଗଙ୍ଗାଙ୍କ ସ୍ତ୍ରୀ ସୁମିତ୍ରା ବାନରା ଅକୁଣ୍ଠ ଚିତ୍ତରେ ସାହାଯ୍ୟ କରନ୍ତି। ସ୍ବାମୀ ସ୍ତ୍ରୀଙ୍କ ପରିଶ୍ରମରେ ଯୋଡ଼ା ସହରବାସୀ ଅର୍ଗାନିକ ପରିବା ପାଇପାରୁଛନ୍ତି। ପରିବା ବ୍ୟବସାୟୀ ରାଜୀବ ଓ ନରସିଂହ କୁହନ୍ତି, ନିଜ ଉଦ୍ୟମରେ ଚାଷ ପ୍ରଣାଳୀ ଉଦ୍ଭାବନ କରି ଗଙ୍ଗା ଜଣେ ସଫଳ ସ୍ବାବଲମ୍ବୀ ଚାଷୀ ହୋଇପାରିଛନ୍ତି। ଖଣି ଉପତ୍ୟକାରେ ସବୁଜିମା ଏ ଅଞ୍ଚଳରେ ଏକ ହରିତ ବିପ୍ଳବର ଶୁଭାରମ୍ଭ ବୋଲି ବରିଷ୍ଠ ଖବରଦାତା ବେଣୁଧର ବେହେରା, ଶିକ୍ଷାବିତ୍‌ ସୋମନାଥ ମହାନ୍ତି, ବରିଷ୍ଠ ନାଗରିକ ମଦନମୋହନ ବାରିକ ପ୍ରମୁଖ କହିଛନ୍ତି।