କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ୱର,(ବ୍ୟୁରୋ)/ ବାଙ୍କୀ,୫ା୧୨ (ସ୍ବ.ପ୍ର.) :କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ଅଂଶୁପା ହ୍ରଦ ନିକଟରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଚଢ଼ାଉ କରି ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି। ଘଟଣାସ୍ଥଳରୁ ୨ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନେ ଆସିଥିବା ଏକ କାର୍‌ (ଓଡି୦୯ଇ୫୧୧୧) ମଧ୍ୟ ଜବତ ହୋଇଛି। ଅଭିଯୁକ୍ତଦ୍ୱୟ ହେଲେ ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳର ଜୁମେଶ କୁମାର ସାହୁ ଓ ଆଠଗଡ଼ ଥାନା ଅଞ୍ଚଳର ହେମନ୍ତ କୁମାର ପ୍ରଧାନ। ଉଭୟଙ୍କଠାରୁ ୧ କେଜି ୩୩୫ ଗ୍ରାମ ବ୍ରାଉନ୍‌ସୁଗାର ଓ କିଛି ଆପରାଧିକ ସାମଗ୍ରୀ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏନେଇ ଏସ୍‌ଟିଏଫ୍‌ ଏନ୍‌ଡିପିଏସ୍‌ ଆକ୍ଟର ୨୧(ସି) ଓ ୨୯ ଦଫାରେ ଏକ ମାମଲା (ନଂ.୨୯/୨୦୨୨) ରୁଜୁ କରି ଅଭିଯୁକ୍ତଦ୍ୱୟଙ୍କୁ ରବିବାର କଟକ ଜିଲା ଓ ଦୌରା ଜଜ୍‌ଙ୍କ କୋର୍ଟକୁ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ଭୁବନେଶ୍ୱର କିମ୍ବା ଆଖପାଖ ଅଞ୍ଚଳରେ ବ୍ରାଉନ୍‌ସୁଗାରର ବଡ଼ ଡିଲ୍‌ ପାଇଁ ଅନୁଗୋଳରୁ କେତେଜଣ ବ୍ରାଉନସୁଗାର ବେପାରି କାର୍‌ରେ ଆସୁଥିବା ନେଇ ଏସ୍‌ଟିଏଫ୍‌ ସୂଚନା ପାଇଥିଲା। ରାକେଟକୁ ଧରିବାକୁ କଟକ ଜିଲା ପୋଲିସକୁ ଏସ୍‌ଟିଏଫ୍‌ ଜଣାଇବା ସହ ଚଢ଼ାଉ ଯୋଜନା ହୋଇଥିଲା। ଶନିବାର ସାରେ ଅଂଶୁପା ହ୍ରଦ ନିକଟରେ ମିଳିତ ପୋଲିସ୍‌ ଟିମ୍‌ ପୂର୍ବପ୍ରସ୍ତୁତି ଅନୁଯାୟୀ ଛକି ରହିଥିଲେ। ସନ୍ଦିଗ୍ଧ କାର୍‌ଟି ଉକ୍ତ ବାଟଦେଇ ଯିବା ସମୟରେ ଏସ୍‌ଟିଏଫ୍‌ ଓ ପୋଲିସ ଟିମ୍‌ ଅଟକାଇ ଯାଞ୍ଚ କରିବା ପରେ ବ୍ରାଉନସୁଗାର ମିଳିଥିଲା। ତେବେ ଅଭିଯୁ୍‌କ୍ତଦ୍ୱୟ କେଉଁଠୁ ଏତେ ପରିମାଣର ବ୍ରାଉନ୍‌ସୁଗାର ଆଣିଲେ, କାହାକୁ ଦେଇଥାନ୍ତେ, ସେମାନଙ୍କ ସହ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ଏହାପୂର୍ବରୁ କେତେ କାରବାର କରିଛନ୍ତି, ଏଭଳି ବିଭିନ୍ନ ଦିଗକୁ ନେଇ ଅଧିକ ତଦନ୍ତ କରିବାକୁ ଏସ୍‌ଟିଏଫ୍‌ ଅଭିଯୁକ୍ତଦ୍ୱୟଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଥିବା ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ନିଶା କାରବାର ରୋକିବାକୁ ୨୦୨୦ରୁ ଚାଲିଥିବା ସ୍ବତନ୍ତ୍ର ଅଭିଯାନରେ ଏପର୍ଯ୍ୟନ୍ତ ୬୫ କେଜି ବ୍ରାଉନ୍‌ସୁଗାର, ୨୦୨ ଗ୍ରାମ କୋକେନ ଓ ୧୧୧ କୁଇଣ୍ଟାଲ ଗଞ୍ଜେଇ, ୭୫୦ ଗ୍ରାମ ଅଫିମ ଜବତ ହୋଇଛି। ଏସବୁ ମାମଲାରେ ୧୬୫ ଜଣ ନିଶା ମାଫିଆ ଗିରଫ ହୋଇଥିବା ଏସ୍‌ଟିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି।