ରକ୍ତ ଜୁୁଡ଼ୁଜୁଡ଼ୁ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

କୋକସରା,୨୮।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ମାଝିଗୁଡା ପଞ୍ଚାୟତ ମହୁଳମୁଣ୍ଡା ଗ୍ରାମ ନିକଟରେ ଥିବା ଏକ ଧାନ ଖଳାରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ସେ ମହୁଳମୁଣ୍ଡା ଗ୍ରାମର ଦୟାନିଧି ଦୁଣ୍ଡକିଆ ବୋଲି ଜଣାପଡ଼ିଛି। ଦୟାନିଧିଙ୍କୁ ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ସୂଚନାଯୋଗ୍ୟ, ସକାଳେ ଦୟାନିଧି ଧାନଖଳାକୁ ଯାଇଥିଲେ। ତେବେ ସନ୍ଧ୍ୟାରେ ଉକ୍ତ ଜମିରେ ତାଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ହତ୍ୟାକାଣ୍ଡର କାରଣ ନେଇ ସ୍ପଷ୍ଟ ସୂଚନା ମିଳି ନ ଥିବା ବେଳେ ଦୟାନିଧିଙ୍କ ସ୍ତ୍ରୀ ସାଧନୀ ହତ୍ୟା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ତାଙ୍କ ସ୍ବାମୀଙ୍କୁ ସମ୍ପର୍କୀୟ କାକା ପୁଅ ଓ ବଡ଼ ବାପା ପୁଅ ଜମି ବିବାଦକୁ ନେଇ ହତ୍ୟା କରିଛନ୍ତି। ଘଟଣାସ୍ଥଳରେ କୋକସରା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ମଙ୍ଗଳବାର ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିବ।