ପୂଜାମଣ୍ଡପରେ ସୁରକ୍ଷା ବ୍ୟବସ୍ଥା କରାଯିବ

କଟକ ଅଫିସ,୮।୧୦: କଟକର ୩ଟି ଥାନା ପକ୍ଷରୁ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ପୁରୀଘାଟ ଥାନା ପକ୍ଷରୁ ସ୍ଥାନୀୟ ଟାଉନ ହଲଠାରେ ଆୟୋଜିତ ବୈଠକରେ ଡିସିପି ପ୍ରତୀକ୍‌ ସିଂ ସଭାପତିତ୍ୱ କରି ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ ପାଳନ ପୂର୍ବକ ଦୁର୍ଗାପୂଜା କରିବାକୁ ପୂଜା କମିଟିର କର୍ମକର୍ତ୍ତାମାନଙ୍କୁ କହିଥିଲେ। ପୂଜା ମଣ୍ଡପଗୁଡିକରେ ଚାନ୍ଦି ଓ ସୁନା ଅଳଙ୍କାର ରହୁଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ, କେବଳ ପୂଜା ମଣ୍ଡପକୁ ସୀମିତ ଆଲୋକମାଳାରେ ସଜ୍ଜାଯିବ, ପୂଜା ଓ ଭସାଣି ସମୟରେ ଗୋଟିଏ ଘଣ୍ଟ ବଜାଯାଇପାରିବ, ପ୍ରତି ପୂଜା କମିଟିର ସଭାପତି, ସମ୍ପାଦକ ଓ ୭ଜଣ କର୍ମକର୍ତ୍ତାଙ୍କୁ ପାସ୍‌ ଯୋଗାଇ ଦିଆଯିବ। ଫଳରେ ରାତିରେ ନାଇଟ କର୍ଫ୍ୟୁ ଚାଲିଥିଲେ ମଧ୍ୟ କୌଣସି ସମସ୍ୟା ଉପୁଜିବ ନାହିଁ ବୋଲି ଡିସିପି କହିଥିଲେ। ଏହି ବୈଠକରେ ଏସିପି ଶୁଭନାରାୟଣ ମୁଦୁଲି, ଆଇଆଇସି ଯତୀନ୍ଦ୍ର କୁମାର ସେଠୀଙ୍କ ସମେତ ୩୮ଟି ପୂଜା କମିଟିର ୭୦ଜଣ କର୍ମକର୍ତ୍ତା ଯୋଗଦେଇଥିଲେ। ସେହିପରି ବାଦାମବାଡି ଓ ମଧୁପାଟଣା ଥାନା ପକ୍ଷରୁ ଦୋଳମୁଣ୍ଡାଇସ୍ଥିତ ଏକ ହୋଟେଲରେ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଡିସିପି ସିଂ ଯୋଗଦେଇ ଉପରୋକ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିଥିବାବେଳେ ୨୬ଟି ଦୁର୍ଗାପୂଜା କମିଟିର ପ୍ରାୟ ୫୦ଜଣ କାର୍ଯ୍ୟକର୍ତ୍ତା ଯୋଗଦେଇ ନିଜର ମତ ରଖିଥିଲେ। ଏହି ବୈଠକରେ ଏସିପି ମୁଦୁଲି, ବାଦାମବାଡି ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର, ମଧୁପାଟଣା ଥାନା ଅଧିକାରୀ ତୁଷାରକାନ୍ତ ସେଠୀ, ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ ଓ ସମ୍ପାଦକ ଭିକାରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।