ମାଲକାନଗିରି,୧୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କୋର୍ଟକୁ ଏକ ଅଜ୍ଞାତ ମେଲ୍ରୁ ସୋମବାର ବୋମା ଧମକ ମିଳିଛି। କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହାପରେ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ କୋର୍ଟ ପରିସରକୁ ଖାଲି କରିଦିଆଯାଇଥିବା ଜଣାପଡ଼ିଛି। ପୋଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ତନାଘନା ଜାରି ରଖିଛନ୍ତି।
ସୂଚନାନୁଯାୟୀ, ସୋମବାର କୋର୍ଟ କାର୍ଯ୍ୟ ସ୍ବାଭାବିକ ଭାବେ ଚାଲିଥିଲେ। ଏହି ସମୟରେ କୋର୍ଟ କର୍ତ୍ତୃପକ୍ଷଙ୍କ ନିକଟକୁ ଏକ ଧମକପୂର୍ଣ୍ଣ ଇ-ମେଲ ଆସିଥିଲା। ଏଥିରେ ତାମିଲନାଡୁ ଲିବରେଶନ ଗ୍ରୁପ ନାମକ ଏକ ସଙ୍ଗଠନ ପକ୍ଷରୁ କୋର୍ଟ ପରିସରରେ ବୋମା ଖଞ୍ଜା ଯାଇଥିବା ଓ ଏହାକୁ ଉଡ଼ାଇ ଦିଆଯିବ ବୋଲି ଉଲ୍ଲେଖ କରାଯାଇଥିଲା।
ଏହି ଖବର ଜାଣିବା ପରେ ଜିଲା ଜଜ୍ ଶାନ୍ତନୁ କୁମାର ଦାସ ତୁରନ୍ତ ସମସ୍ତ କର୍ମଚାରୀ ଓକିଲ ଓ ମହକିଲମାନଙ୍କୁ କୋର୍ଟ ପରିସର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ଘଟଣାସ୍ଥଳରେ ମାଲକାନଗିରି ପୋଲିସ ପହଞ୍ଚି କୋର୍ଟର କୋଣ ଅନୁକୋଣ ଯାଞ୍ଚ କରୁଛି।
ସ୍ପେଶାଲ ବମ୍ ସ୍କ୍ବାର୍ଡ ଅପରେଶନରେ ସାମିଲ ହୋଇଛନ୍ତି। ଧମକ ପ୍ରକୃତରେ ସତ୍ୟ ନା କେହି ଦୁର୍ବୃତ୍ତ ଭୟ ସୃଷ୍ଟି କରିବାକୁ ଏଭଳି କରିଛି ଏ ନେଇ ପୋଲିସ ତଦନ୍ତ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା କୋର୍ଟ ପରିସରରୁ କୌଣସି ସନ୍ଦେହଜନକ ବସ୍ତୁ ମିଳି ନ ଥିବା ଜଣାପଡ଼ିଛି। ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ା କରାଯାଇଛି। ସମସ୍ତଙ୍କୁ ଧୈର୍ଯ୍ୟ ଧରିବାକୁ ଅନୁରୋଧ କରାଯାଇଛି।

