ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ ସ୍ଥାନୀୟ ଅସାମାଜିକ ତତ୍ତ୍ୱମାନେ ରାଜନୈତିକ ସଭା, ଶୋଭାଯାତ୍ରା ଇତ୍ୟାଦିର ଆବରଣରେ ତାଙ୍କର ଆପରାଧିକ ଓ ଅସାମାଜିକ କାର୍ଯ୍ୟକଳାପକୁ ଆଗେଇ ନେବା ପାଇଁ ବହୁ ସଂଖ୍ୟାରେ ଦଳଗୁଡ଼ିକରେ ଯୋଗ ଦେଉଛନ୍ତି । ଏହିମାନଙ୍କ ଯୋଗଦାନ ରାଜନୈତିକ ଦଳମାନଙ୍କ ଦ୍ୱାରା ଆୟୋଜିତ ସାର୍ବଜନୀନ ସଭା ଓ ଶୋଭାଯାତ୍ରାମାନଙ୍କରେ ଆଇନ ଶୃଙ୍ଖଳା ପରିସ୍ଥିତି ଗୁରୁତର ଭାବେ ପ୍ରଭାବିତ ହେବାର ସମ୍ଭାବନା ରହିଛି। ତେଣୁ ଗଞ୍ଜାମ ପୋଲିସ ପକ୍ଷରୁ ରାଜନୈତିକ ସଭା ସମିତି ଉପରେ କିଛି ନିୟମ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଣିକି ପୋଲିସ ବିନାନୁମତିରେ ରାଜନୈତିକ ସଭା ହୋଇପାରିବ ନାହିଁ। ସଭାର ୭୨ ଘଣ୍ଟା ପୂର୍ବରୁ ଅନୁମତି ପାଇଁ ଆବେଦନ କରିବାକୁ ପଡ଼ିବ। ଧାରା ୩୦ ଜିଲାରେ ୯୦ ଦିନ ଅର୍ଥାତ୍ ଆସନ୍ତା ଅଗଷ୍ଟ ମାସ ୧୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଗଞ୍ଜାମ ଏସପି ନିର୍ଦ୍ଦେଶନାମା ଜାରି କରିଛନ୍ତି।
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ ଭି.କୀର୍ତ୍ତି ଭାସନଙ୍କ ବିଚାରରେ ଏପରି ସଭା ଓ ଶୋଭାଯାତ୍ରାମାନଙ୍କୁ ନିୟନ୍ତ୍ରଣ କରା ନ ଗଲେ ଜିଲାରେ ଗୁରୁତର ଶାନ୍ତି ଭଙ୍ଗ ହେବାର ସମ୍ଭାବନା ରହିଛି । ଜିଲା ମାଜିଷ୍ଟ୍ରେଟଙ୍କ ଏହି ଆଶଙ୍କାକୁ ପାଥେୟ କରି ଗଞ୍ଜାମ ପୋଲିସ ଜିଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର ପୋଲିସ ଆଇନ-୧୯୬୧ର ଧାରା-୩୦ ଗଞ୍ଜାମ ଜିଲ୍ଲାରେ ୧୮.୦୫.୨୦୨୬ ରୁ ୧୫.୦୮.୨୦୨୬ ତାରିଖ ପର୍ଯ୍ୟନ୍ତ (ଉଭୟ ଦିନ ଅନ୍ତର୍ଭୁକ୍ତ) ଜାରି କରିଛନ୍ତି ।
ଏହା ଅନୁସାରେ, ଗଞ୍ଜାମ ପୋଲିସ ଜିଲାର ସମସ୍ତ ଥାନା ଅଞ୍ଚଳରେ କୌଣସି ସଭା, ଶୋଭାଯାତ୍ରା କିମ୍ବା ସମାବେଶ ଆୟୋଜନ ପାଇଁ ସମ୍ପୃକ୍ତ ଏସ୍ଡିପିଓ ଯଥା ଏସ୍ଡିପିଓ ଛତ୍ରପୁର, ପୁରୁଷୋତ୍ତମପୁର, ଆସ୍କା ଓ ଭଞ୍ଜନଗର ତଥା ଜିଲାର ସମସ୍ତ ଥାନାର ଆଇଆଇସିଙ୍କ ନିକଟରେ ଅନୁମତି ପାଇଁ ଆବେଦନ କରିବାକୁ ପଡିବ । ଏପରି ଆବେଦନରେ ସଭା କେବେ ଓ କେଉଁ ସ୍ଥାନରେ ଆୟୋଜିତ ହେବ, ସଭା କିମ୍ବା ସମାବେଶର ଉଦ୍ଦେଶ୍ୟ କ’ଣ ଏବଂ ପ୍ରସ୍ତାବିତ ବକ୍ତାମାନଙ୍କର ନାମ ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ ପଡିବ । ଶୋଭାଯାତ୍ରା ସମ୍ବନ୍ଧୀୟ ଆବେଦନରେ ରୁଟ, ବିରାମ ସ୍ଥଳ, ଶୋଭାଯାତ୍ରାରେ ଯୋଗଦେବାକୁ ଥିବା ଲୋକଙ୍କ ଆନୁମାନିକ ସଂଖ୍ୟା, ସଙ୍ଗୀତ ବଜାଇବାକୁ ଥିଲେ ସଙ୍ଗୀତଜ୍ଞଙ୍କ ସଂଖ୍ୟା ଓ ସଙ୍ଗୀତର ପ୍ରକାର, ମୋଟର ଗାଡ଼ିର ସଂଖ୍ୟା, ହାତୀ, ଘୋଡ଼ା ପରି ପଶୁ କିମ୍ବା ପାରମ୍ପରିକ ଅସ୍ତ୍ର ବ୍ୟବହାର କରିବାକୁ ଥିଲେ ସେମାନଙ୍କର ସଂଖ୍ୟା ପ୍ରାଞ୍ଜଳ ଭାବରେ ଆବେଦନ ପତ୍ରରେ ଉଲ୍ଲେଖ କରିବାକୁ ପଡିବ।
ପୋଲିସ ଆଇନର ଧାରା-୩୦ ଅନୁଯାୟୀ, ଅନୁମତି ପ୍ରଦାନ ପୂର୍ବରୁ ସମ୍ପୃକ୍ତ କମିଟି/ଆୟୋଜକମାନଙ୍କୁ ତାଙ୍କର ଦାୟିତ୍ୱ ସମ୍ବନ୍ଧରେ ଜଣାଇଦିଆଯିବ ଏବଂ ତାଙ୍କ ଉପରେ ସର୍ତ୍ତାବଳୀ ଲାଗୁ କରାଯିବ। ଆବେଦନରେ ଆତଶବାଜୀ ପ୍ରଦର୍ଶନ କରାଯିବାକୁ ଥିଲେ ତାହାର ପ୍ରକାର, ସମୟ ଓ ସ୍ଥାନ ମଧ୍ୟ ଉଲ୍ଲେଖ କରିବାକୁ ପଡିବ। ପ୍ରତ୍ୟେକ ଆବେଦନ ସଭା, ଶୋଭାଯାତ୍ରା କିମ୍ବା ସମାବେଶ ଆୟୋଜନ ପୂର୍ବରୁ ଅତି କମରେ ୭୨ ଘଣ୍ଟା ପୂର୍ବରୁ ଅନୁମତି ପ୍ରଦାନ କରିବାକୁ ସକ୍ଷମ ପୋଲିସ ଅଧିକାରୀଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ଅଛି। ଏନେଇ ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏକ ପ୍ରେସ ବିବୃତିରେ ତାହା ସୂଚନା ଦିଆଯାଇଛି।