Categories: ବାଣିଜ୍ୟ

ଆଦାନୀକୁ ସେବି ଝଟକା

ନୂଆଦିଲ୍ଲୀ,୨୨।୮:  ଗୌତମ ଆଦାନୀଙ୍କ ନେତୃତ୍ୱାଧୀନ ଆଦାନୀ ଗ୍ରୁପ୍‌କୁ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି) ଝଟକା ଲାଗିଛି। ଏହି ଗ୍ରୁପ୍‌ କମ୍ପାନୀର ଆଦାନୀ ଓ୍ବିଲମର ନାମକ କମ୍ପାନୀ ନିକଟରେ ଇନିସିଆଲ ପବ୍ଲିକ ଅଫରିଂ(ଆଇପିଓ) ଆଣିବା ଲାଗି ପ୍ରସ୍ତାବ ରହିଥିଲା। ମାତ୍ର ଏହା ଉପରେ ପୁଞ୍ଜିବଜାର ନିୟନ୍ତ୍ରକ ସେବି କଟକଣା ଲଗାଇବା ସହ ଅଟକାଇ ଦେଇଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ, ଆଦାନୀ ଏଣ୍ଟରପ୍ରାଇଜେସ ବିରୋଧରେ ବିଦେଶୀ ପୋର୍ଟଫୋଲିଓ ନିବେଶ(ଏଫ୍‌ପିଆଇ) ସମ୍ପର୍କିତ ଯାଞ୍ଚ ଜାରି ରହିଛି। ଏହାକୁ ନଜରରେ ରଖି ବର୍ତ୍ତମାନର ଆଇପିଓକୁ ଅଟକାଯାଇଥିବା କୁହାଯାଉଛି। ଏହାଦ୍ୱାରା କମ୍ପାନୀ ବଜାରରୁ ୪,୫୦୦ କୋଟି ଟଙ୍କା ଉଠାଇବା ଲାଗି ଯୋଜନା ରଖିଥିଲା।
ପୂର୍ବରୁ ମଧ୍ୟ କିଛି କମ୍ପାନୀର ଆଇପିଓ ଉପରେ ଏଭଳି କଟକଣା ଲଗାଇଥିବା ଜଣାପଡ଼ିଛି। ପ୍ରତିଭୂତି ବଜାର ନିୟମ ମୁତାବକ, କୌଣସି କମ୍ପାନୀ ବିରୋଧରେ ବିଭାଗୀୟ ଯାଞ୍ଚ ଚାଲୁଥିଲେ ୯୦ ଦିନ ଯାଏ ଆଇପିଓକୁ ମଞ୍ଜୁରୀ ଦିଆଯାଇପାରିବ ନାହିଁ। ଏହା ବାଦ୍‌ ଆଇପିଓ ପ୍ରସ୍ତାବକୁ ୪୫ଦିନ ପର୍ଯ୍ୟନ୍ତ ଟଳାଯାଇପାରିବ। ୨୦୨୧ ଜୁନ୍‌ରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। ସୁଲଭ ମୂଲ୍ୟରେ ବିମାନ ସେବା ଯୋଗାଣ କରୁଥିବା କମ୍ପାନୀ ‘ଗୋଫାଷ୍ଟ’ର ଆଇପିଓ ଉପରେ ସେବି ପ୍ରତିବନ୍ଧକ ଲଗାଇଥିଲେ। ଏହି କମ୍ପାନୀର ପ୍ରମୋଟରଙ୍କ ବିରୋଧରେ ଯାଞ୍ଚ ପ୍ରକ୍ରିୟା ଚାଲୁଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ବଜାର ନିୟନ୍ତ୍ରକ ଗ୍ରହଣ କରିଥିଲେ।
ଓ୍ବିଲମର ଆଦାନୀ ଏଣ୍ଟରପ୍ରାଇଜେସ ଏବଂ ସିଙ୍ଗାପୁର ଭିତ୍ତିକ କମ୍ପାନୀ ଓ୍ବିଲମର ଇଣ୍ଟରନ୍ୟାଶନାଲର ଏକ ଯୌଥ ଉଦ୍ୟୋଗ। ଏହା ୧୯୯୯ରେ ସ୍ଥାପନ କରାଯାଇଥିଲା। ଆଦାନୀ ଓ୍ବିଲମରରେ ଆଦାନୀ ଏଣ୍ଟରପ୍ରାଇଜେସର ୫୦% ଅଂଶଧନ ରହିଛି। ଏହା ଖାଇବା ତେଲ ବ୍ୟବସାୟରେ ରହିଛି। ଏହାବାଦ ଉକ୍ତ କମ୍ପାନୀ ବାସମତି ଚାଉଳ, ଅଟା, ମଇଦା, ସୁଜି, ଡାଲି, ବେସନ ଭଳି ସାମଗ୍ରୀ ପ୍ରସ୍ତୁତ କରୁଛି। ଏହାର ଅଧିକାଂଶ ପ୍ରଡକ୍ଟ ଫର୍ଚୁନ ବ୍ରାଣ୍ଡରେ ଆସୁଛି। ୨୦୨୭ ସୁଦ୍ଧା ଦେଶର ସବୁଠାରୁ ବଡ଼ ଫୁଡ୍‌ କମ୍ପାନୀ ହେବା ଲକ୍ଷ୍ୟ ନେଇ ଏହା କାମ କରୁଛି। ଆଇପିଓ ଦ୍ୱାରା ଏହି ଲକ୍ଷ୍ୟ ହାସଲ ଦିଗରେ କମ୍ପାନୀ ଅଗ୍ରସର ହେବ ବୋଲି କୁହାଯାଉଛି। ଦେଶର ପୁଞ୍ଜିବଜାରରେ ଆଦାନୀର ୫ କମ୍ପାନୀ ସୂଚୀଭୁକ୍ତ ହୋଇଛନ୍ତି। ଏହି କମ୍ପାନୀଗୁଡିକର ବଜାର ପୁଞ୍ଜୀକରଣ ପ୍ରାୟ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ। ଏହି କମ୍ପାନୀଗୁଡିକ ମଧ୍ୟରେ ଆଦାନୀ ଏଣ୍ଟରପ୍ରାଇଜେସ, ଆଦାନୀ ପୋର୍ଟସ ଆଣ୍ଡ ସ୍ପେଶାଲ ଇକୋନୋମିକ ଜୋନ, ଆଦାନୀ ଟ୍ରାନ୍ସମିଶନ, ଆଦାନୀ ପାଓ୍ବାର, ଆଦାନୀ ଟୋଟାଲ ଏବଂ ଆଦାନୀ ଗ୍ରୀନ୍‌ ଏନର୍ଜି ସାମିଲ ରହିଥିବା ଜଣାପଡିଛି।

Share