ଦୁଇଶିଶୁଙ୍କ ଉପରେ ମାଡ଼ିଗଲା ସ୍କର୍ପିଓ: ଜଣଙ୍କ ଜୀବନ ଗଲା

ଛେଣ୍ଡିପଦା,୨୮ା୬(ସ୍ବ.ପ୍ର.): ଅନୁଗୋଳ ୬୩ ନଂ. ରାଜ୍ୟ ରାଜପଥର କଙ୍କରେଇ ନିକଟରେ ରବିବାର ଏକ ସ୍କର୍ପିଓ ଧକ୍କାରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛି। ଏହା ସହ ଗାଡ଼ିର ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱରରୁ ଏକ ସ୍କର୍ପିଓ ଦ୍ରୁତଗତିରେ ଛେଣ୍ଡିପଦା ଅଭିମୁଖେ ଆସୁଥିବା ବେଳେ କଙ୍କରେଇ ନିକଟରେ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱରେ ଛତୁ ବିକୁଥିବା ଦୁଇଶିଶୁଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲା। ଏ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ଲେଖା ହେବା ବେଳକୁ ନିଶା ଶିଳ୍ପାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା ଜାରି ରଖିଛି।