କେନ୍ଦ୍ରାପଡ଼ା,୨୦ା୬ (ପି.ଟି.)ଓଡ଼ିଶା ଉପକୂଳରୁ ଆଗାମୀ ୮ ରୁ ୧୦ ବର୍ଷ ମଧ୍ୟରେ ବିରଳ‘ଘୋଡ଼ା ନାଲ କଙ୍କଡ଼ା’ ବା ‘ନୀଳରକ୍ତ କଙ୍କଡ଼ା’ ସମ୍ପୂର୍ଣ୍ଣ ରୂପେ ବିଲୁପ୍ତ ହୋଇଯାଇପାରନ୍ତି ବୋଲି ଶୁକ୍ରବାର ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି। ଏମାନଙ୍କ ପ୍ରଜନନ ସ୍ଥଳୀର ସୁରକ୍ଷା ଲାଗି ଯଦି ତୁରନ୍ତ ପଦକ୍ଷେପ ନିଆ ନ ଯାଏ, ତେବେ ଏହି ପ୍ରଜାତି ସବୁଦିନ ପାଇଁ ଲୋପ ପାଇଯିବେ। ଜୁନ୍ ୨୦ ‘ଅନ୍ତର୍ଜାତୀୟ ନୀଳରକ୍ତ କଙ୍କଡ଼ା ଦିବସ’ ପୂର୍ବରୁ ଜାରି ଏକ ବିବୃତିରେ ‘ସିଏସ୍ଆଇଆର୍-ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓସେନୋଗ୍ରାଫି’ର ପୂର୍ବତନ ବୈଜ୍ଞାନିକ ଅନିଲ ଚାଟାର୍ଜୀ ଉକ୍ତ ସୂଚନା ଦେଇଛନ୍ତି। ସେ ଉଲ୍ଲେଖ କରିଛନ୍ତି, ପ୍ରାୟ ୪୫ କୋଟି ବର୍ଷରୁ ଅଧିକ ସମୟ ଧରି ପୃଥିବୀରେ ବଞ୍ଚି ରହି ‘ଜୀବନ୍ତ ଜୀବାଶ୍ମ’ କୁହାଯାଉଥିବା ଏହି ଜୀବ ଏବେ ମାନବୀୟ କାର୍ଯ୍ୟକଳାପ ଓ ପରିବେଶ ଅବକ୍ଷୟ ଯୋଗୁ ଗମ୍ଭୀର ସଙ୍କଟରେ ଗତି କରୁଛନ୍ତି। ନିଜର ପ୍ରାୟ ୪ଦଶନ୍ଧିର ଗବେଷଣା ତଥ୍ୟକୁ ନେଇ ସେ କହିଛନ୍ତି, ୧୯୮୬ ମସିହାରେ ଏକ ଫାର୍ମାସ୍ୟୁଟିକାଲ କମ୍ପାନୀର ଅନୁରୋଧକ୍ରମେ ଭାରତୀୟ ଉପକୂଳରେ ଏହି କଙ୍କଡ଼ାଙ୍କ ଉପଲବ୍ଧତାକୁ ନେଇ ପ୍ରଣାଳୀବଦ୍ଧ ଗବେଷଣା ଆରମ୍ଭ ହୋଇଥିଲା। ୧୯୮୭ ଜୁନ୍ ୨୦ରେ ବାଲେଶ୍ୱର ଜିଲା ଚାନ୍ଦିପୁର ନିକଟସ୍ଥ ବଳରାମଗଡ଼ିଠାରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହାୟତାରେ ଏହି କଙ୍କଡ଼ାଙ୍କର ଏକ ବଡ଼ ପ୍ରଜନନ ସ୍ଥଳୀ ଆବିଷ୍କାର କରାଯାଇଥିଲା, ଯାହା ଦେଶରେ ଏହି ଗବେଷଣାକୁ ଏକ ନୂଆ ମୋଡ଼ ଦେଇଥିଲା। ଏହି କଙ୍କଡ଼ାଙ୍କ ରକ୍ତ ନିଷ୍କାସନ ପାଇଁ ଏକ ପାଟେଣ୍ଟ ପ୍ରଯୁକ୍ତିବିଦ୍ୟା ବିକଶିତ କରାଯାଇଥିଲା, ଯାହାଦ୍ୱାରା ଜୀବଟିକୁ କୌଣସି କ୍ଷତି ନ ପହଞ୍ଚାଇ ରକ୍ତ ସଂଗ୍ରହ କରାଯାଇପାରୁଛି। ଏମାନଙ୍କ ନୀଳରକ୍ତରୁ ପ୍ରସ୍ତୁତ ବିଶେଷ ଉପାଦାନ (ଆମିବୋସାଇଟ୍ ଲାଇସେଟ୍) ବ୍ୟବହାର କରାଯାଇ ଟିକା, ଇଞ୍ଜେକ୍ସନ ଏବଂ ଚିକିତ୍ସା ଉପକରଣରେ ବ୍ୟାକ୍ଟେରିଆ ଜନିତ ସଂକ୍ରମଣ ପରୀକ୍ଷା କରାଯାଏ, ଯେଉଁଥିରେ ଭାରତ ଆତ୍ମନିର୍ଭରଶୀଳ ହୋଇପାରିଛି। ଓଡ଼ିଶାରେ ଏହି ଗବେଷଣା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପ୍ରଭୂତ ସହଯୋଗ କରିଥିଲେ ବୋଲି ଡ. ଚାଟାର୍ଜୀ ଉଲ୍ଲେଖ କରିଛନ୍ତି। ଏଥିସହ ସେ ଗବେଷକ ସ୍ବର୍ଗତ ଚିତ୍ତ ବେହେରାଙ୍କ ଅବଦାନକୁ ମଧ୍ୟ ସ୍ମରଣ କରିଛନ୍ତି।
ତେବେ ୧୯୮୮ରୁ୨୦୦୬ ମସିହା ମଧ୍ୟରେ ହୋଇଥିବା ଦୀର୍ଘକାଳୀନ ଅନୁଧ୍ୟାନରୁ ଜଣାପଡ଼ିଛି, ଓଡ଼ିଶା ଉପକୂଳରେ ଏହି କଙ୍କଡ଼ାଙ୍କ ସଂଖ୍ୟା ପ୍ରାୟ ୭୩ ପ୍ରତିଶତ ହ୍ରାସ ପାଇଛି। ପରିବେଶ ନଷ୍ଟ, ପ୍ରଦୂଷଣ, ବେଳାଭୂମିର ପରିବର୍ତ୍ତନ ଏବଂ ମାଛଧରା ଜାଲରେ ଅକସ୍ମାତ ଧରାପଡ଼ିବା ଏମାନଙ୍କ ବଂଶଲୋପର ମୁଖ୍ୟ କାରଣ ସାଜିଛି। ସମ୍ପୂର୍ଣ୍ଣ ମାଛଧରା ନିଷେଧ କରିବା ବଦଳରେ ସ୍ଥାନୀୟ ସମୁଦାୟକୁ ସାମିଲକରି ସଂରକ୍ଷଣ କରିବା, ପ୍ରଜନନ ସ୍ଥଳୀକୁ ସୁରକ୍ଷିତ ରଖିବା ଏବଂ ଜନସଚେତନତା ସୃଷ୍ଟିକରିବା ପାଇଁ ସେ ଓଡ଼ିଶା ସରକାର ଓ ଯୁବ ବୈଜ୍ଞାନିକଙ୍କୁ ଆହ୍ବାନ ଦେଇଛନ୍ତି।