୨୧ ବର୍ଷ ହେଲା ନାହାନ୍ତି ସ୍ଥାୟୀ ପ୍ରଧାନ ଶିକ୍ଷକ

ଗଞ୍ଜାମ, ୨୦।୪(ଡି.ଏନ.ଏ.) ଗଞ୍ଜାମ ସହର ବଡ଼ବଜାରଠାରେ ବହୁ ପୁରାତନ ଭାରତୀ ବିଦ୍ୟାପୀଠ ହାଇସ୍କୁଲ ଅବସ୍ଥିତ। ଏଠାରେ ସ୍କୁଲ ନିର୍ମାଣ ପାଇଁ ଗଞ୍ଜାମ ତଥା ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍‌ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ମା’ ସ୍ବର୍ଗତ ଯଶୋଦା ପଣ୍ଡା ଜମି ପ୍ରଦାନ କରିଥିଲେ। ଏହି ସ୍କୁଲଟି ୧୯୫୪ରେ ସ୍ଥାପିତ ହୋଇଥିଲା। ୬୮ତମ ବାର୍ଷିକ ଉତ୍ସବ ପାଳନ କରିଥିବା ଏହି ବହୁ ପୁରାତନ ସ୍କୁଲଟି ବର୍ତ୍ତମାନ ଅବ୍ୟବସ୍ଥା ଘେରରେ ରହିଥିବା ପରିଲକ୍ଷିତ ହୋଇଛି। ଦୀର୍ଘ ୨୧ ବର୍ଷରୁ ଊର୍ଦ୍ଧ୍ୱ ହେବ ଏଠାରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନାହାନ୍ତି। ଏ ନେଇ ସ୍ଥାନୀୟ ଲୋକଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ଏବଂ ବାରମ୍ବାର ଖବର ପ୍ରସାରଣ ହୋଇଥିଲେ ମଧ୍ୟ ଜିଲା ଶିକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି। ଏଥିସହ ୫-ଟି ଯୋଜନାରେ ସ୍କୁଲ ରୂପାନ୍ତରିତ ହୋଇ ସ୍ମାର୍ଟ କ୍ଲାସ୍‌ରୁମ୍‌ ନିର୍ମାଣ ହୋଇଛି। ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ ହୋଇଥିବା ସ୍ମାର୍ଟ କ୍ଲାସ୍‌ରୁମ୍‌ ୬ ମାସ ନ ପୂରୁଣୁ ସିମେଣ୍ଟ ଛଡ଼ ଖସୁଥିବା ଦେଖିବାକୁ ମିଳିଛି। ଦୀର୍ଘ ବର୍ଷ ହେବ ଏହି ସ୍କୁଲରେ ନିୟମିତ ହିନ୍ଦୀ ଶିକ୍ଷକ ନାହାନ୍ତି। ଜଣେ ହିନ୍ଦୀ ଶିକ୍ଷକ ହୁମା ବୀରଭଦ୍ର ହାଇସ୍କୁଲ ଏବଂ ଭାରତୀ ବିଦ୍ୟାପୀଠ ଦାୟିତ୍ୱରେ ଥିବା କ୍ଲର୍କ ବାରିକି କହିଛନ୍ତି। ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏଥିପାଇଁ ଦିନକୁ ଦିନ ଛାତ୍ରଙ୍କ ଉପସ୍ଥାନ କମୁଥିବା ଜଣାପଡିଛି। ଏଥିପ୍ରତି ଦୃଷ୍ଟି ଦେଇ ସମାଧାନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ତା’ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ପୂର୍ବତନ ସରପଞ୍ଚ ଡି. ଗୋବିନ୍ଦ ରେଡ୍ଡି, ଅଶୋକ ମାଳି, ଛୁରିଆ ମହାପାତ୍ର ପ୍ରମୁଖ ସୂଚନା ଦେଇଛନ୍ତି।