ପିଲାବେଳେ କାନ୍ଧରେ ବସ୍ତାନି ପକେଇ ସ୍କୁଲ ଗଲାବେଳର ସ୍ମୃତି ନିଆରା। ଆଜିର ସ୍କୁଲ ବ୍ୟାଗକୁ ଦେଖିଲେ ଲାଗେ, ସେହି ବସ୍ତାନିର ସରଳତା ଓ ସ୍ନେହ ଏବେ ମଧ୍ୟ ଆମ ଶୈଶବକୁ ଜୀବନ୍ତ ରଖିଛି। ଓଡ଼ିଆ ସାହିତ୍ୟରେ ବସ୍ତାନି କହିଲେ ମନେପଡ଼େ କାଳଜୟୀ ଗଳ୍ପ ‘ନାନାଙ୍କ ବସ୍ତାନି’। ଏହା କେବଳ ଏକ କାହାଣୀ ନୁହେଁ, ବରଂ ଓଡ଼ିଆ ଜୀବନବୋଧର ଏକ ସ୍ମରଣୀୟ ପ୍ରତୀକ। ସେହି ବସ୍ତାନିରେ କେବଳ କିଛି ଜିନିଷ ନୁହେଁ; ଥିଲା ଜୀବନର ଅନୁଭବ, ସ୍ମୃତି, ମୂଲ୍ୟବୋଧ ଓ ସମୟର ସଞ୍ଚୟ। ପ୍ରାୟ ପ୍ରତ୍ୟେକ ମଣିଷର ଜୀବନରେ ଗୋଟିଏ ‘ବସ୍ତାନି’ ଅଛି-ଯାହା କେବଳ ବହିଖାତା ବୋହିନଥାଏ; ବରଂ ଅଗଣିତ ସ୍ବପ୍ନ, ପରିବାରର ଆଶା, ଶୈଶବର ଅମଳିନ ସ୍ମୃତି ଏବଂ ଭବିଷ୍ୟତର ସମ୍ଭାବନାକୁ ସାଥିରେ ନେଇ ଚାଲେ। ବସ୍ତାନି ହେଉଛି ଏମିତି ଏକ ନିରବ ସାଥୀ, ଯାହା ପ୍ରତ୍ୟେକ ଶିଶୁର ହସ, କାନ୍ଦ, ସଫଳତା, ବିଫଳତା ଓ ସ୍ବପ୍ନର ସାକ୍ଷୀ ହୋଇ ରହିଥାଏ।
ସମୟ ବଦଳିଛି। ‘ବସ୍ତାନି’ ଶବ୍ଦଟି ଆଜି ପ୍ରାୟ ଇତିହାସର ଅଂଶ; ତାହାର ସ୍ଥାନ ନେଇଛି ‘ସ୍କୁଲ ବ୍ୟାଗ’। ରୂପ ବଦଳିଛି, ସାମଗ୍ରୀ ବଦଳିଛି, କିନ୍ତୁ ତାହାର ଭାବନାତ୍ମକ ସମ୍ପର୍କ ବଦଳିନାହିଁ। ଆଜିର ବ୍ୟାଗରେ ପାଠ୍ୟ ପୁସ୍ତକ, ଖାତା, ପ୍ରକଳ୍ପ, ପାଣି ବୋତଲ, ଟିଫିନ୍ ବକ୍ସ ଓ ଅନେକ ଶିକ୍ଷା ସାମଗ୍ରୀ ଥାଏ। କିନ୍ତୁ ପ୍ରଶ୍ନ ହେଉଛି-ଏହି ବ୍ୟାଗ ଶିଶୁର ଜ୍ଞାନକୁ ସମୃଦ୍ଧ କରୁଛି ନା ତାହାର କାନ୍ଧ ଓ ମନ ଉପରେ ଅନାବଶ୍ୟକ ଭାର ଲଦି ଦେଉଛି।
ଏହି ପ୍ରଶ୍ନ ଆଜିର ନୁହେଁ। ପ୍ରାୟ ତିନି ଦଶନ୍ଧି ପୂର୍ବେ ବିଶିଷ୍ଟ ବୈଜ୍ଞାନିକ ଓ ଶିକ୍ଷାବିତ୍ ପ୍ରଫେସର ଯଶପାଲଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ ”Learning Without Burden“ (ବୋଝମୁକ୍ତ ଶିକ୍ଷା) ରିପୋର୍ଟ ଭାରତୀୟ ଶିକ୍ଷା ବ୍ୟବସ୍ଥା ସମ୍ମୁଖରେ ଏକ ମୌଳିକ ପ୍ରଶ୍ନ ରଖିଥିଲା-ଶିଶୁମାନେ ପ୍ରକୃତରେ ଶିଖୁଛନ୍ତି ନା କେବଳ ପାଠଭାର ବୋହି ଚାଲିଛନ୍ତି? ଯଶପାଲଙ୍କ ବିଶ୍ୱାସ ଥିଲା, ଶିକ୍ଷାର କାମ ଶିଶୁର ମସ୍ତିଷ୍କକୁ ତଥ୍ୟରେ ଭରିଦେବା ନୁହେଁ; ବରଂ ତା’ର ଚିନ୍ତା କରିବାର କ୍ଷମତାକୁ ଜାଗ୍ରତ କରିବା। ସେ ଦର୍ଶାଇଥିଲେ ଯେ ସମସ୍ୟା କେବଳ ବ୍ୟାଗର ଓଜନ ନୁହେଁ; ପ୍ରକୃତ ସମସ୍ୟା ହେଉଛି ଅନାବଶ୍ୟକ ପାଠଭାର, ମୁଖସ୍ଥ ଶିକ୍ଷା ଓ ପରୀକ୍ଷାକୈନ୍ଦ୍ରିକ ମନୋଭାବ। ପୁସ୍ତକର ଭାରଠାରୁ ବୁଝି ନ ପାରିବାର ବୋଝ ଏବଂ ପରୀକ୍ଷାର ଚାପ ଅଧିକ କ୍ଷତିକାରକ।
ବାସ୍ତବରେ ବସ୍ତାନିର ଇତିହାସ ହେଉଛି ମାନବ ସଭ୍ୟତାର ଜ୍ଞାନଯାତ୍ରାର ଇତିହାସ। ପ୍ରାଚୀନ ଭାରତର ଗୁରୁକୁଳ, ତକ୍ଷଶିଳା ଓ ନାଳନ୍ଦାରେ ଶିକ୍ଷା ଶ୍ରବଣ, ମନନ, ସଂଳାପ ଓ ଅନୁଶୀଳନ ଉପରେ ଆଧାରିତ ଥିଲା। ତାଳପତ୍ର ପୋଥି ଥିଲା, କିନ୍ତୁ ଶିକ୍ଷା ପୁସ୍ତକକୈନ୍ଦ୍ରିକ ନଥିଲା। ଜ୍ଞାନର ପ୍ରକୃତ ଭଣ୍ଡାର ଥିଲା ଶିକ୍ଷାର୍ଥୀର ମନ। ପରେ ମୁଦ୍ରଣ କଳା, ଔପନିବେଶିକବାଦ ଶିକ୍ଷା ବ୍ୟବସ୍ଥା ଓ ଆଧୁନିକ ବିଦ୍ୟାଳୟର ବିକାଶ ସହ ପୁସ୍ତକର ସଂଖ୍ୟା ବଢ଼ିଲା; ବସ୍ତାନି ଧୀରେ ଧୀରେ ଆଧୁନିକ ସ୍କୁଲ ବ୍ୟାଗରେ ପରିଣତ ହେଲା। ଏହା କେବଳ ପୁସ୍ତକ ବୋହିବାର ସାଧନ ରହିଲା ନାହିଁ; ପାଠ୍ୟକ୍ରମର ବିସ୍ତାର, ପରୀକ୍ଷାର ଚାପ ଓ ପ୍ରତିଯୋଗିତାର ଭାର ମଧ୍ୟ ତା’ ସହ ଯୋଡ଼ିହୋଇଗଲା।
ସ୍କୁଲ ବ୍ୟାଗ ପ୍ରକୃତରେ ଏକ ନିରବ ସମୟଯାତ୍ରୀ। ମେସୋପୋଟାମିଆର ମାଟିର ଫଳକ, ମିଶରର ପାପିରସ୍, ଭାରତର ତାଳପତ୍ର ପୋଥି, ଚାଇନାର ବାଉଁଶ ପଟି, ମଧ୍ୟଯୁଗର ଚମଡ଼ାର ସାଚେଲ୍, ଔଦ୍ୟୋଗିକ ଯୁଗର କ୍ୟାନ୍ଭାସ ବ୍ୟାଗରୁ ଆରମ୍ଭ କରି ଆଜିର ସ୍ମାର୍ଟ ବ୍ୟାଗ ପର୍ଯ୍ୟନ୍ତ ସେ ପ୍ରତ୍ୟେକ ସଭ୍ୟତା ସହ ନିଜ ରୂପ ବଦଳାଇଛି। ପ୍ରତ୍ୟେକ ଯୁଗ ତା’କୁ ନୂଆ ଦାୟିତ୍ୱ ଦେଇଛି- କେବେ ପୋଥି, କେବେ ଛାପା ପୁସ୍ତକ, ଆଉ ଆଜି ପୁସ୍ତକ ସହ ଡିଜିଟାଲ୍ ଉପକରଣ ବହନ କରିବାର ସାଧନ। ସେଥିପାଇଁ ସ୍କୁଲ ବ୍ୟାଗକୁ ଦେଖିଲେ ଆମେ କେବଳ ଗୋଟିଏ ବସ୍ତୁକୁ ନୁହେଁ, ବରଂ ହଜାର ବର୍ଷର ଜ୍ଞାନ ପରମ୍ପରାର ଏକ ନିରବ ସାକ୍ଷୀକୁ ଦେଖୁଥାଉ।
ଆମେ ନିଜକୁ ଏକ ପ୍ରଶ୍ନ ପଚାରିପାରିବା-ଆଜିର ଶିଶୁ ତା’ର ବ୍ୟାଗରେ ଅଧିକ କ’ଣ ଭରିଛି- ପୁସ୍ତକ ନା ପରିବାରର ଆଶା, ପ୍ରତିଯୋଗିତାର ଚାପ ଓ ପରୀକ୍ଷାର ଆଶଙ୍କା? ଏହି ପ୍ରଶ୍ନର ଉତ୍ତର କେବଳ ବ୍ୟାଗର ଓଜନ ମାପିଲେ ମିଳିବ ନାହିଁ; ତାହା ମିଳିବ ଶିକ୍ଷାର ଉଦ୍ଦେଶ୍ୟକୁ ପୁନଃବିଚାର କଲେ। ଏକ ସୁସ୍ଥ ଶିକ୍ଷା ବ୍ୟବସ୍ଥାର ପରିଚୟ ଓଜନିଆ ବଡ଼ ବ୍ୟାଗ ନୁହେଁ; ବରଂ କୌତୂହଳୀ, ପ୍ରଶ୍ନକାରୀ ଓ ଆତ୍ମବିଶ୍ୱାସୀ ଶିଶୁ।
ଭାରତୀୟ ଜ୍ଞାନ ପରମ୍ପରା ବହୁ ପୂର୍ବରୁ ଏହି ସତ୍ୟକୁ ଉପଲବ୍ଧି କରିଥିଲା। ଉପନିଷଦର ମହାବାକ୍ୟ ”ସା ବିଦ୍ୟା ଯା ବିମୁକ୍ତୟେ“ ଆମକୁ ସ୍ମରଣ କରାଏ ଯେ ପ୍ରକୃତ ଶିକ୍ଷା ମଣିଷକୁ ମୁକ୍ତ କରେ, ଭାରାକ୍ରାନ୍ତ କରେ ନାହିଁ। ଶିକ୍ଷାର ଲକ୍ଷ୍ୟ କେବଳ ସୂଚନା ସଂଗ୍ରହ ନୁହେଁ; ବରଂ ବିବେକ, ସୃଜନଶୀଳତା, ସହଯୋଗିତା, ସହାନୁଭୂତି ଓ ଜୀବନ କୌଶଳର ବିକାଶ। ଏହି ଦୃଷ୍ଟିରୁ ଦେଖିଲେ ସ୍କୁଲ ବ୍ୟାଗ କେବଳ ଏକ ବସ୍ତୁ ନୁହେଁ; ଏହା ଆମର ଶିକ୍ଷାଦର୍ଶନର ଏକ ପ୍ରତୀକ।
ଜାତୀୟ ଶିକ୍ଷା ନୀତି-୨୦୨୦ ଓ ନୂତନ ଜାତୀୟ ପାଠ୍ୟକ୍ରମ ରୂପରେଖ ଏହି ଚିନ୍ତାଧାରାକୁ ଆଗକୁ ନେଇଛି। ଏହାର ଉଦ୍ଦେଶ୍ୟ କେବଳ ବ୍ୟାଗର ଓଜନ କମାଇବା ନୁହେଁ; ବରଂ ପାଠର ଭାର ହ୍ରାସ କରି ଶିକ୍ଷାକୁ ଅଧିକ ଅର୍ଥପୂର୍ଣ୍ଣ, ଅନୁଭୂତିମୂଳକ ଓ ଆନନ୍ଦମୟ କରିବା। ସ୍ଥାନୀୟ ଜ୍ଞାନ, କଳା, କ୍ରୀଡ଼ା, ପ୍ରକଳ୍ପ କାର୍ଯ୍ୟ, ଜୀବନ କୌଶଳ ଓ ଅନୁଭବ ମାଧ୍ୟମରେ ଶିକ୍ଷଣକୁ ଗୁରୁତ୍ୱ ଦେବାର ଅର୍ଥ ହେଉଛି-ଶିକ୍ଷାକୁ ପୁସ୍ତକର ସୀମାରୁ ବାହାରକୁ ଆଣିବା।
ଡିଜିଟାଲ୍ ପ୍ରଯୁକ୍ତି ବ୍ୟାଗର ଓଜନ କମାଇପାରେ; କିନ୍ତୁ ଶିକ୍ଷାର ଭାର କମାଇପାରିବ ନାହିଁ, ଯଦି ପାଠ୍ୟକ୍ରମ, ଶିକ୍ଷାଦାନ ଓ ମୂଲ୍ୟାଙ୍କନର ଦୃଷ୍ଟିଭଙ୍ଗୀ ବଦଳିବ ନାହିଁ। ଟାବଲେଟ୍ ପୁସ୍ତକର ସ୍ଥାନ ନେଇପାରେ, କିନ୍ତୁ ଶିଶୁର ମନରେ ପ୍ରଶ୍ନ କରିବାର ସାହସ, ଜାଣିବାର ଆଗ୍ରହ ଓ ସୃଜନଶୀଳତା ସୃଷ୍ଟି କରିବାର ଦାୟିତ୍ୱ ଏବେ ମଧ୍ୟ ଶିକ୍ଷକ, ବିଦ୍ୟାଳୟ ଓ ସମାଜର।
ଶେଷ ପର୍ଯ୍ୟନ୍ତ ସ୍କୁଲ ବ୍ୟାଗର ପ୍ରକୃତ ରୂପାନ୍ତର ଭାରୀରୁ ହାଲୁକା ହେବାରେ ନୁହେଁ; ବରଂ ପୁସ୍ତକକୈନ୍ଦ୍ରିକ ଶିକ୍ଷାରୁ ଶିଶୁକୈନ୍ଦ୍ରିକ ଶିକ୍ଷାକୁ ଅଗ୍ରସର ହେବାରେ। ଶିଶୁର କାନ୍ଧର ଭାର କମାଇବା ଯେତିକି ଆବଶ୍ୟକ, ତା’ଠାରୁ ଅଧିକ ଆବଶ୍ୟକ ହେଉଛି ତା’ର ଚିନ୍ତାର ଆକାଶକୁ ବିସ୍ତାର କରିବା। କାରଣ ଏକ ହାଲୁକା ବ୍ୟାଗ ଭଲ ଶିକ୍ଷାର ନିଶ୍ଚିତତା ନୁହେଁ; କିନ୍ତୁ ଏକ ମୁକ୍ତ, କୌତୂହଳୀ ଓ ଆନନ୍ଦମୟ ମନ ନିଶ୍ଚିତ ଭାବେ ତାହାର ଭିତ୍ତି।
ହୁଏତ ଆମ ଘରର କୌଣସି ପୁରୁଣା ଆଲମାରି ଉପରେ କିମ୍ବା ଭଙ୍ଗା ଅବ୍ୟବହୃତ କୋଠରିର ଏକ କୋଣରେ ଆଜି ମଧ୍ୟ ଆମର ସେହି ପୁରୁଣା ସ୍କୁଲ ବ୍ୟାଗ (ବସ୍ତାନି)ଟି ପଡ଼ିଥିବ। ସେଥିରେ ଆଉ ପାଠ୍ୟ ପୁସ୍ତକ ନ ଥାଇପାରେ, କିନ୍ତୁ ସେ ଏବେ ବି ଲୁଚାଇ ରଖିଛି ପ୍ରଥମ ଅକ୍ଷର ଶିଖିବାର ଆନନ୍ଦ, ପ୍ରଥମ ପୁରସ୍କାରର ଉଲ୍ଲାସ, ସାଙ୍ଗମାନଙ୍କ ସହ ଭାଗ କରି ଖାଇଥିବା ଟିଫିନର ସ୍ବାଦ, ଶିକ୍ଷକଙ୍କ ସ୍ନେହ ଏବଂ ମା’ର ହାତର ସ୍ପର୍ଶ। ଶୈଶବ ବିତିଯାଏ, କିନ୍ତୁ ସ୍କୁଲ ବ୍ୟାଗର ସ୍ମୃତି କେବେ ପୁରୁଣା ହୁଏନାହିଁ। ସେଥିପାଇଁ ସ୍କୁଲ ବ୍ୟାଗକୁ ନେଇ ଆଲୋଚନା କେବଳ ତାହାର ଓଜନର ନୁହେଁ; ଏହା ଆମର ଶିକ୍ଷାଦର୍ଶନ, ଆମର ଶୈଶବ ଓ ଆମର ଭବିଷ୍ୟତକୁ ନେଇ ଏକ ଗଭୀର ଆଲୋଚନା। ଯେଉଁଦିନ ଶିଶୁର କାନ୍ଧରୁ ଅନାବଶ୍ୟକ ଭାର ହଟିବ ଏବଂ ତା’ ମନରେ କୌତୂହଳ, କଳ୍ପନା ଓ ସୃଜନଶୀଳତାର ଡେଣା ଲାଗିବ, ସେହିଦିନ ‘ବସ୍ତାନି’ର ପ୍ରକୃତ ଅର୍ଥ ସାର୍ଥକ ହେବ। କାରଣ ଶିକ୍ଷାର ସଫଳତା ଶିଶୁର ପିଠିରେ କେତେ କିଲୋ ଓଜନର ବ୍ୟାଗ ଅଛି ସେଥିରେ ନୁହେଁ, ବରଂ ତା’ର ମନରେ କେତେ ପ୍ରଶ୍ନ, କେତେ ଆଲୋକ ଓ କେତେ ସ୍ବପ୍ନ ଜନ୍ମ ନେଉଛି-ସେଥିରେ ନିହିତ।
– ଅଧ୍ୟକ୍ଷ, ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଖୋର୍ଦ୍ଧା
ମୋ: ୯୪୩୮୫୯୦୬୨୪