Categories: ବାଣିଜ୍ୟ

ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ପକ୍ଷରୁ ଛାତ୍ରବୃତ୍ତି

ଭୁବନେଶ୍ୱର,୧୧।୮: ଜିନ୍ଦଲ ଷ୍ଟିଲ୍‌ ଏଣ୍ଡ ପାୱାର (ଜେଏସ୍‌ପି) ର ସିଏସ୍‌ଆର ସଂସ୍ଥା ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ଦ୍ୱାରା ତା’ର ଜିନ୍ଦଲ ସ୍ବୟଂସମ୍ପନ୍ନା ନାରୀ କାର୍ଯ୍ୟକ୍ରମ ଅଧୀନରେ ଉଭୟ ଓଡ଼ିଶା ଓ ଛତିଶଗଡର ଆର୍ଥିକ ଦୁର୍ବଳ ବର୍ଗର ୫୦୮ ଯୋଗ୍ୟ ବାଳିକାଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜେଏସ୍‌ପିଏଲ୍‌ ଫାଉଣ୍ଡେଶନର ଚେୟାରମ୍ୟାନ୍‌ ଶାଲୁ ଜିନ୍ଦଲ ମନୋନୀତ ଛାତ୍ରୀମାନଙ୍କୁ ଛାତ୍ରବୃତ୍ତି ପତ୍ର ବଣ୍ଟନ କରିଥିଲେ। ଉପସ୍ଥିତ ଛାତ୍ରୀ ଏବଂ ସେମାନଙ୍କ ଅଭିଭାବକମାନଙ୍କୁ ସମ୍ବୋଧିତ କରି ଶାଲୁ କହିଥିଲେ, ସାମାଜିଜ ତଥା ଆର୍ଥିକ ଦୁର୍ବଳ ବର୍ଗର ମହିଳା ଏବଂ ଯୁବତୀମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ହେଉଛି ଜିନ୍ଦଲ ସ୍ବୟଂସମ୍ପନ୍ନା ନାରୀ କାର୍ଯ୍ୟକ୍ରମ ଆମର ଆଉ ଏକ ପ୍ରୟାସ।

ଅନେକ ପ୍ରତିଭାବାନ ଯୁବତୀ ଓ ମହିଳା ଅର୍ଥ ଅଭାବରୁ ସେମାନଙ୍କର ଦକ୍ଷତା ବିକାଶ କିମ୍ବା ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ମୁଁ ଆଶା କରୁଛି ଯେ ଏହି କାର୍ଯ୍ୟକ୍ରମ ସେମାନଙ୍କ ସ୍ବପ୍ନ ପୂରଣ କରିବାରେ ଏବଂ ସଶକ୍ତ କରିବାରେ ବେଶ୍‌ ସହାୟକ ହେବ। ଉକ୍ତ କାର୍ଯ୍ୟକ୍ରମ ଅଧୀନରେ ମାର୍ଚ୍ଚ ୨୦୨୨ରେ ଆରମ୍ଭ ହୋଇଥିବା ଏକ ଚୟନ ପ୍ରକ୍ରିୟା ମାଧ୍ୟମରେ ୫୦୮ ବାଳିକାଙ୍କୁ ଚୟନ କରାଯାଇଥିଲା। ସହାୟତା ରାଶି ଛାତ୍ରୀମାନେ ପଢୁଥିବା ଅନୁଷ୍ଠାନକୁ ସିଧାସଳଖ ପ୍ରଦାନ କରାଯିବ। ଜେଏସ୍‌ପିର ପ୍ରେସିଡେଣ୍ଟ ତଥା ଗ୍ରୁପ୍‌ ହେଡ୍‌ (ସିଏସ୍‌ଆର୍‌ ଆଣ୍ଡ ଏଜୁକେଶନ) ପ୍ରଶାନ୍ତ କୁମାର ହୋତା ସ୍ବାଗତ ସମ୍ବୋଧନ କରି ଜିନ୍ଦଲ ସ୍ବୟଂସମ୍ପନ୍ନା ନାରୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ।

Share