କଏଦ ହେଲା ବାଇକ୍‌ ଚୋରିର ଦୃଶ୍ୟ

କୋକସରା,୨୦।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅଞ୍ଚଳରେ ବାଇକ୍‌ ଚୋରି ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। କୋକସରା ସହର ୨୬ ନମ୍ବର ଜାତୀୟ ରାଜପଥ ଚିଲିଗୁଡା ନିକଟରେ ଥିବା ଏକ ହାର୍ଡୱେର ଦୋକାନ ସମ୍ମୁଖରୁ ଶୁକ୍ରବାର ସନ୍ଧ୍ୟାରେ ଏକ ବାଇକ୍‌ ଚୋରି ହୋଇଛି। ଏ ନେଇ ଦୋକାନ ମାଲିକ ରାଜୁ ଅଗ୍ରୱାଲ କୋକସରା ଥାନାରେ ଏକ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ସିସିଟିଭି ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ବାଇକ୍‌ ଚୋରି ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

ସୂଚନା ଯୋଗ୍ୟ, ଗତ କିଛି ମାସ ହେଲା କୋକସରା ସହର ସାପ୍ତାହିକ ବଜାର ସମେତ ବିଭିନ୍ନ ସ୍ଥାନରୁ ବାଇକ୍‌ ଚୋରି ହେଉଥିବା ଥାନାରେ ଅଭିଯୋଗ ହୋଇଛି। ଏ ନେଇ ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହୋଇଛି। କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କୁ ପଚାରିବାରୁ ସିସିଟିଭି ଫୁଟେଜକୁ ନେଇ ପୋଲିସ ଘଟଣାର ତଦନ୍ତ ଜାରି ରହିଛି। ଖୁବ ଶିଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।