Categories: ବାଣିଜ୍ୟ

ଏସ୍‌ବିଆଇର ଋଣ ପୁନର୍ଗଠନ ପୋର୍ଟାଲ

ଭୁବନେଶ୍ୱର: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ଋଣ ପୁନର୍ଗଠନ ଲାଗି ଏକ ଅନ୍‌ଲାଇନ ପୋର୍ଟାଲର ଶୁଭାରମ୍ଭ କରାଯାଇଛି। ଏହାଦ୍ୱାରା ଗ୍ରାହକ ସେମାନଙ୍କ ଋଣ ପୁନର୍ଗଠନ ଯୋଗ୍ୟତା ବିଷୟରେ ଘରେ ରହି ଜାଣିପାରିବେ। ଏହି ପୋର୍ଟାଲରେ ଏସ୍‌ବିଆଇର ଗ୍ରାହକମାନେ ଲଗ୍‌ଇନ୍‌ କରିବା ପରେ ତାଙ୍କୁ ଆକାଉଣ୍ଟ ନମ୍ବର ମଗାଯିବ। ଏହି ପ୍ରକ୍ରିୟା ଶେଷ ହେବା ପରେ ଏକ ଓଟିପି ସ୍ବୀକୃତି ଦରକାର ପଡିବ। କିଛି ଜରୁରୀ ସୂଚନା ଦେବା ପରେ ଗ୍ରାହକ ନିଜ ଋଣ ପୁନର୍ଗଠନ ପାଇଁ ଯୋଗ୍ୟ ନା ନାହିଁ ତାହା ଜାଣିପାରିବେ। ପରେ ତାଙ୍କୁ ଏକ ରେଫରେନ୍ସ ନମ୍ବର ମିଳିବ। ସେହି ରେଫରେନ୍ସ ନମ୍ବର ୩୦ଦିନ ପାଇଁ ବୈଧ ରହିବ । ଏହିି ସମୟସୀମା ମଧ୍ୟରେ ଗ୍ରାହକଙ୍କୁ ଶାଖାରେ ପହଞ୍ଚି ଅନ୍ୟାନ୍ୟ ଜରୁରିକାଳୀନ କାର୍ଯ୍ୟ ଶେଷ କରିବାକୁ ହେବ। ଏ ସମ୍ପର୍କରେ ଏସ୍‌ବିଆଇର ପରିଚାଳନା ନିର୍ଦ୍ଦେଶକ (ରିଟେଲ ଆଣ୍ଡ ଡିଜିଟାଲ ବ୍ୟାଙ୍କିଙ୍ଗ୍‌) ସି.ଏସ୍‌. ସେଟ୍ଟୀ କହିଛନ୍ତି, ଏହି ପୋର୍ଟାଲ ଉନ୍ମୋଚନ କରାଯାଇଥିବାରୁ ଶାଖା ପରିଦର୍ଶନ ପୂର୍ବରୁ ଗ୍ରାହକମାନେ ନିଜ ଯୋଗ୍ୟତା ବିଷୟରେ ଜାଣିପାରିବେ। ଫଳରେ ଋଣ ପ୍ରଦାନ ସମୟରେ କିମ୍ବା ଋଣ ସମ୍ପର୍କିତ ସମସ୍ୟା ଆଉ ଉଭୟଙ୍କ ମଧ୍ୟରେ ରହିବ ନାହିଁ।

Share