ନୂଆଦିଲ୍ଲୀ,୨।୯: ଯଦି ଆପଣ ପ୍ରତିଦିନ SBI ର UPI ମାଧ୍ୟମରେ ପେମେଣ୍ଟ କରୁଛନ୍ତି, ତେବେ ୪ ସେପ୍ଟେମ୍ୱର ରାତିରେ ଟିକେ ସତର୍କ ରହିବାକୁ ପଡ଼ିବ। ବ୍ୟାଙ୍କ ସୂଚନା ଦେଇଛି ଯେ ରକ୍ଷଣାବେକ୍ଷଣ (maintenance) କାର୍ଯ୍ୟ ଯୋଗୁଁ କିଛି ସମୟ ପାଇଁ UPI ମାଧ୍ୟମରେ ପେମେଣ୍ଟ ହୋଇପାରିବ ନାହିଁ। ତେବେ ଏହି ସମୟ ମଧ୍ୟରେ UPI Lite ବ୍ୟବହାର କରାଯାଇ ପାରିବ, ତେଣୁ ଛୋଟ ପେମେଣ୍ଟ ପାଇଁ ଗ୍ରାହକଙ୍କ ପାଖରେ ବିକଳ୍ପ ରହିବ।
SBI ଅନୁଯାୟୀ, ୪ ସେପ୍ଟେମ୍ୱର ୨୦୨୬ ରାତି ୧୨:୧୫ ରୁ ୧:୦୦ ଟା ପର୍ଯ୍ୟନ୍ତ UPI ସେବା ଉପଲବ୍ଧ ହେବ ନାହିଁ। ଅର୍ଥାତ ଏହି ସେବା ପ୍ରାୟ ୪୫ ମିନିଟ ପର୍ଯ୍ୟନ୍ତ ପ୍ରଭାବିତ ରହିବ। ବ୍ୟାଙ୍କ ଏହା ମଧ୍ୟ କହିଛି ଯେ ମେଣ୍ଟେନାନ୍ସ କାମ ର୍ନିଦ୍ଧାରିତ ସମୟ ପୂର୍ୱରୁ ମଧ୍ୟ ଶେଷ ହୋଇପାରେ।
ଏହି ସମୟରେ ଗ୍ରାହକମାନେ ଛୋଟ ପେମେଣ୍ଟ ପାଇଁ UPI Lite ବ୍ୟବହାର କରିପାରିବେ। UPI Lite ମାଧ୍ୟମରେ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ଛୋଟ କାରବାର (transaction) କରାଯାଇ ପାରିବ ଏବଂ ଏଥିପାଇଁ ପ୍ରତିଥର UPI PIN ଦେବାର ଆବଶ୍ୟକତା ପଡ଼ିନଥାଏ। ଏଥିରେ ସର୍ୱାଧିକ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ବାଲାନ୍ସ ରଖାଯାଇ ପାରିବ।
UPI ମାଧ୍ୟମରେ ଦିନକୁ ସର୍ୱମୋଟ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରାଯାଇ ପାରିବ। ବ୍ୟକ୍ତିରୁ ବ୍ୟକ୍ତି (P2P) ପେମେଣ୍ଟ ମାଧ୍ୟମରେ ଦୈନିକ ୨୦ଟି ଟ୍ରାଞ୍ଜାକ୍ସନ କରିହେବ। ସେହିପରି କିଛି ଯାଞ୍ଚ ହୋଇଥିବା ମର୍ଚାଣ୍ଟ ବର୍ଗ (verified merchant categories) ପାଇଁ ଅଧିକ ଲିମିଟ ଉପଲବ୍ଧ ରହିଛି। ବୀମା (Insurance) ଏବଂ କ୍ୟାପିଟାଲ ମାର୍କେଟ୍ରେ ଏହି ସୀମା ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିବା ବେଳେ IPO, ଟ୍ୟାକ୍ସ ପେମେଣ୍ଟ, ହସ୍ପିଟାଲ ଏବଂ ସ୍କୁଲ-କଲେଜ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।
ସରକାର UPI ର କିଛି ର୍ନିଦ୍ଦିଷ୍ଟ ମର୍ଚାଣ୍ଟ କାରବାର ଉପରେ MDR (Merchant Discount Rate) ଲାଗୁ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏ ସମ୍ପର୍କରେ ସେପ୍ଟେମ୍ୱର ମଧ୍ୟଭାଗ ସୁଦ୍ଧା ବିଜ୍ଞପ୍ତି ଜାରି ହେବାର ଆଶା କରାଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା MDR ର ହାର, କାରବାରର ସୀମା ଏବଂ ବାକି ନିୟମାବଳୀ ଆନୁଷ୍ଠାନିକ ଭାବେ ସ୍ଥିର ହୋଇନାହିଁ।
ସରକାର ସ୍ପଷ୍ଟ କରିଛନ୍ତି ଯେ ସାଧାରଣ ଜନତାଙ୍କ ଠାରୁ UPI ପେମେଣ୍ଟ କରିବା ପାଇଁ କୌଣସି ଶୁଳ୍କ (charge) ନିଆଯିବ ନାହିଁ। P2P କାରବାର ମଧ୍ୟ ମାଗଣା ରହିବ। ଯଦି MDR ଲାଗୁ ହୁଏ, ତେବେ ତାହା କେବଳ କିଛି ର୍ନିଦ୍ଦିଷ୍ଟ ବ୍ୟବସାୟିକ କାରବାର ଉପରେ ହିଁ ଲାଗୁ ହେବ। ବର୍ତ୍ତମାନ ସୁଦ୍ଧା UPI ଉପରେ କୌଣସି MDR ନିଆଯାଉ ନାହିଁ।
ଗତ କିଛି ବର୍ଷ ମଧ୍ୟରେ UPI ଡିଜିଟାଲ ପେମେଣ୍ଟକୁ ବେଶ ସହଜ କରିଦେଇଛି। ଆର୍ଥିକ ବର୍ଷ (FY) ୨୦୧୬-୧୭ ରେ ଯେଉଁଠି UPI ମାଧ୍ୟମରେ ପ୍ରାୟ ୨ କୋଟି ଟ୍ରାଞ୍ଜାକ୍ସନ ହୋଇଥିଲା, ସେଠାରେ ଆର୍ଥିକ ବର୍ଷ ୨୦୨୫-୨୬ ରେ ଏହି ସଂଖ୍ୟା ବୃଦ୍ଧି ପାଇ ୨୪,୧୬୨ କୋଟିରୁ ଅଧିକ ହୋଇଛି। ସେହିପରି କାରବାରର ମୋଟ ମୂଲ୍ୟ ମଧ୍ୟ ୦.୦୭ ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି ପାଇ ପ୍ରାୟ ୩୧୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।