Categories: ବାଣିଜ୍ୟ

ପ୍ରିମିୟମ ଗୃହଋଣରେ ଏସ୍‌ବିଆଇର ରିହାତି

ମୁମ୍ବାଇ: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ପ୍ରିମିୟମ ହୋମ୍‌ଲୋନ୍‌ କ୍ଷେତ୍ରରେ ରିହାତି ସମ୍ପର୍କରେ ଘୋଷଣା କରାଯାଇଛି। ଏହି ବର୍ଗରେ ବ୍ୟାଙ୍କ ପକ୍ଷରୁ ୨୫ବେସିସ୍‌ ପଏଣ୍ଟ ପର୍ଯ୍ୟନ୍ତ ରିହାତି ଲୋକଙ୍କୁ ମିଳିପାରିବ। ୭୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଋଣ ଉପରେ ଏହା ଲାଗୁ ହେବ। ଏଥିଲାଗି ବ୍ୟାଙ୍କର ଡିଜିଟାଲ ପ୍ଲାଟ୍‌ଫର୍ମ ୟୁନୋରେ ଆବେଦନ କରିବାକୁ ପଡିବ। ଗ୍ରାହକଙ୍କର ସିବିଲ ସ୍କୋର ଉନ୍ନତ ରହିଥିବା ଆବଶ୍ୟକ। ନିକଟରେ ବ୍ୟାଙ୍କ ପକ୍ଷରୁ ପାର୍ବଣ ଅଫର ଘୋଷଣା କରାଯାଇଥିଲା। ଏଥିରେ କ୍ରେଡିଟ ସ୍କୋର ଭିତ୍ତିକ ରିହାତି ସୁବିଧାକୁ ୨୦ ବେସିସ୍‌ ପଏଣ୍ଟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ୧୦ ବେସିସ୍‌ ପଏଣ୍ଟ ରହିଥିଲା। ୩୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଏବଂ ୨ କୋଟି ମଧ୍ୟରେ ଋଣ ପାଇଁ ଏହା ଲାଗୁ ହେବ ବୋଲି କୁହାଯାଇଛି। ୮ ମେଟ୍ରୋ ସହରରେ ୩ କୋଟି ଟଙ୍କା ପର୍ଯ୍ୟନ୍ତ ହୋମ୍‌ ଲୋନ୍‌ରେ ଏଭଳି ରିହାତି ଲାଗୁ ହେବ। ୟୁନୋ ସହାୟତାରେ ଆବେଦନ କଲେ ଅତିରିକ୍ତ ୫ ବେସିସ୍‌ ପଏଣ୍ଟ ରିହାତି ମିଳିପାରିବ। ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ବ୍ୟାଙ୍କ ୬.୯୦ ପର୍ଯ୍ୟନ୍ତ ସୁଧହାର ରଖିଛି। ୩୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଋଣ ଉପରେ ୭ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସୁଧ ଲାଗୁ ହେଉଛି। ଏଭଳି ବିଭିନ୍ନ ପଦକ୍ଷେପ ଦ୍ୱାରା ଗ୍ରାହକ ଲାଭବାନ ହୋଇପାରିବେ ବୋଲି ଆଶା ରହିଥିବା ବ୍ୟାଙ୍କର ଏମ୍‌ଡି ସି.ଏସ୍‌.ସେଟ୍ଟୀ ସୂଚନା ଦେଇଛନ୍ତି।

Share