ସାକ୍ଷୀଗୋପାଳ,୨୫ା୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଜମ୍ମୁ-କଶ୍ମୀରର ପହଲଗାମ୍ ପରିଭ୍ରମଣରେ ଯାଇଥିବା ସତ୍ୟବାଦୀର ୮ ଜଣ ପର୍ଯ୍ୟଟକ ସୁରକ୍ଷିତ ଫେରି ଆସିଛନ୍ତି। ସେମାନେ ହେଲେ ଦୀପକ ଶତପଥୀ, ପ୍ରଶାନ୍ତ ପାଣି, ତୋଫାନ ବେହେରା, ସ୍ବରୂପ ଜେନା, ପୂଜା ସୁନ୍ଦରାୟ, ବର୍ଷାରାଣୀ ସେଠୀ, ପ୍ରଶାନ୍ତ କୁମାର ସେଠୀ, ସାତଭିକ୍ ଜେନା।
ସମସ୍ତ ପର୍ଯ୍ୟଟକ ଗତ ୨୨ ତାରିଖରେ ପହଲଗାମ ପରିଭ୍ରମଣ କରୁଥିଲେ। ପୂର୍ବାହ୍ନରେ ହଠାତ୍ ବର୍ଷା ହୋଇଥିବାବେଳେ ୩ ବର୍ଷର ଶିଶୁ ସାତଭିକ୍ଙ୍କ ବାନ୍ତି ହୋଇଥିଲା। ଫଳରେ ସମସ୍ତ ପର୍ଯ୍ୟଟକ ହୋଟେଲକୁ ଫେରିଯାଇଥିଲେ। ଏହି ସମୟରେ ଗୁଳି ଫୁଟିବା ଶବ୍ଦ ଓ କ୍ରନ୍ଦନ ରୋଳ, ଚିତ୍କାର ଓ ସେନାବାହିନୀର ସାଇରନ ଧାଁ ଧାଉଡ଼ ଦେଖି ଭୟଭୀତ ହୋଇଯାଇଥିଲେ। ଗାଡ଼ିଚାଳକ ଅନନ୍ତ ନାଗ, ସୋପିୟାନ, ରାଜୌରୀ ଓ ପୁଞ୍ଚ୍ ଦେଇ ୧୬ ଘଣ୍ଟା ପରେ ରାତି ୩ଟା ସମୟରେ ସେମାନଙ୍କୁ ଜମ୍ମୁ ରେଳ ଷ୍ଟେଶନରେ ପହଞ୍ଚାଇଥିଲେ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହାୟତାରେ ଜମ୍ମୁରୁ ରେଳ ଯୋଗେ ଦିଲ୍ଲୀରେ ୨୩ ତାରିଖ ରାତି ୯ଟା ସମୟରେ ପହଞ୍ଚି ଥିଲେ। ପରେ ପୁରୀ ଏମ୍ପି ଡ. ସମ୍ବିତ ପାତ୍ରଙ୍କ ବାସଭବନରେ ରହିଥିଲେ। ଏମ୍ପି ପାତ୍ରଙ୍କ ସହିତ ସେମାନେ ଭୁବନେଶ୍ୱରରୁ ପୁରୀ ଆସିଥିଲେ। ପରେ ପୁରୀଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ୍ କରି ସେମାନେ ସାକ୍ଷୀଗୋପାଳରେ ସୁରକ୍ଷିତ ପହଞ୍ଚି ଥିଲେ।


