ଝାଡ଼ଭୂମି ଅଞ୍ଚଳରେ କାଳ ସାଜିଲା ଶନିବାର ରାତି: ଦୁଇଟି ପୃଥକ ଦୁର୍ଘଟଣାରେ କନଷ୍ଟେବଳ, ଯୁବକଙ୍କ ଜୀବନଗଲା

ଜଗନ୍ନାଥପ୍ରସାଦ,୧୮।୧୦(ବିଭୁ ପ୍ରସାଦ ପଟ୍ଟନାୟକ ): ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳର ଝାଡ଼ଭୂମି ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁଇଟି ପୃଥକ ସଡ଼କ ଦୁର୍ଘଟଣା ଘଟିଛି। ମାତ୍ର ଦୁଇରୁ ତିନି ଘଣ୍ଟାର ବ୍ୟବଧାନରେ ଘଟିଥିବା ଏହି ଦୁଇଟି ଦୁର୍ଘଟଣାରେ ଜଣେ ଯୁବକ ଓ ବେଲଗୁଣ୍ଠା ଥାନାରେ କାର୍ଯ୍ୟରତ ଜଣେ  ପୋଲିସ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରପଲ୍ଲୀ ଗ୍ରାମର ତ୍ରିନାଥ ଭୋଳାଙ୍କ ପୁଅ ଚନ୍ଦ୍ର ଭୋଳ (୩୨) ଶନିବାର ରାତିରେ ଝାଡ଼ଭୂମି ଗ୍ରାମକୁ ନିଜ ଶାଶୁଙ୍କ ବାର୍ଷିକୀ ଭୋଜିରେ ଯୋଗଦେବାକୁ ଯାଇଥିଲେ। ରାତି ପ୍ରାୟ ୧୦ଟା ସମୟରେ ସେ ନିଜ ବାଇକ୍‌ (ଓଡି-୩୨-ଏଲ୍‌-୫୧୧୯) ଯୋଗେ ଘରକୁ ଫେରୁଥିଲେ। ତେବେ ଝାଡ଼ଭୂମି ଗ୍ରାମଠାରୁ କିଛି ଦୂରରେ ଥିବା ବଙ୍ଗଳା ଛକ ନିକଟରେ କୌଣସି କାରଣରୁ ସେ ବାଇକ୍‌ର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲେ। ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ସେ ରକ୍ତାକ୍ତ ଅବସ୍ଥାରେ ରାସ୍ତାକଡ଼ରେ ପଡ଼ି ରହିଥିଲେ।

ଘଟଣା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଚନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣାର ପ୍ରାୟ ଦୁଇରୁ ତିନି ଘଣ୍ଟା ପରେ ସେହି ବଙ୍ଗଳା ଛକ ନିକଟ ପୋଖରୀ ରାସ୍ତାରେ ଆଉ ଏକ ଦୁର୍ଘଟଣା ଘଟିଥିଲା। ଭଞ୍ଜନଗର ଥାନା ଅଞ୍ଚଳର ବଡ଼ପଥରା ଗ୍ରାମର ସ୍ୱର୍ଗତ ରାଜେନ୍ଦ୍ର ପ୍ରସାଦ ସ୍ୱାଇଁଙ୍କ ପୁଅ ରାମ ଶଙ୍କର ସ୍ୱାଇଁ (୫୦) ଜଗନ୍ନାଥପ୍ରସାଦ ଥାନାରେ କୌଣସି କାର୍ଯ୍ୟ ସାରି ବେଲଗୁଣ୍ଠା ଥାନାକୁ ଫେରୁଥିଲେ। ସେ ବେଲଗୁଣ୍ଠା ଥାନାରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିଲେ।

ରାତିରେ ସେ ନିଜ ହୋଣ୍ଡା ୟୁନିକର୍ଣ୍ଣ ବାଇକ୍‌ (ଓଡି-୩୨-ଏମ୍‌-୫୧୦୨) ଯୋଗେ ଫେରୁଥିବା ସମୟରେ ବଙ୍ଗଳା ଛକ ନିକଟରେ କୌଣସି କାରଣରୁ ଦୁର୍ଘଟଣାର ଶିକାର ହୋଇ ରାସ୍ତା ଉପରେ ପଡ଼ି ରହିଥିଲେ। ସେହି ରାସ୍ତା ଦେଇ ଯାଉଥିବା ଜଣେ ବ୍ୟକ୍ତି ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ୧୦୮ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ। ତାଙ୍କୁ ମଧ୍ୟ ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଗୋଟିଏ ଅଞ୍ଚଳରେ ଅଳ୍ପ କିଛି ଘଣ୍ଟାର ବ୍ୟବଧାନରେ ଦୁଇଟି ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଜଣେ କାର୍ଯ୍ୟରତ ପୋଲିସ କର୍ମଚାରୀ ଓ ଜଣେ ଯୁବକଙ୍କ ଅକାଳ ବିୟୋଗରେ ବେଲଗୁଣ୍ଠା ଓ ଜଗନ୍ନାଥପ୍ରସାଦ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୋଲିସ ଉଭୟ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Dharitri – Odisha’s No.1 Odia Daily

Share