ଦାରିଙ୍ଗବାଡ଼ି ଉପାଧ୍ୟକ୍ଷା ହେଲେ ସସ୍ମିତା

ଦାରିଙ୍ଗବାଡ଼ି,୨୩ା୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଉପାଧ୍ୟକ୍ଷ ଭାବେ ପୁଣି ବିଜେଡିର ବିଜୟ ହୋଇଛି। ଦଳର ସିଆଙ୍ଗବାଲି ସମିତିସଭ୍ୟା ସସ୍ମିତା ପ୍ରଧାନ ଦାରିଙ୍ଗବାଡ଼ି ବ୍ଲକ ଉପାଧ୍ୟକ୍ଷ ଭାବେ ବିଜୟୀ ହୋଇଛନ୍ତି। ସସ୍ମିତା ୨୫ ସମିତି ସଦସ୍ୟଙ୍କ ମଧ୍ୟରୁ ୧୯ଟି ଭୋଟ୍‌ ପାଇ ବିଜୟର ସ୍ବାଦ ଚାଖିଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ୱୀ ବୀନିତା ପ୍ରଧାନ ମାତ୍ର ୬ ଖଣ୍ଡ ଭୋଟ୍‌ ପାଇ ପରାଜୟ ହୋଇଛନ୍ତି। ପରାଜିତ ହୋଇଥିବା ବୀନିତା ଦନେକବାଡ଼ି ପଞ୍ଚାୟତର ସମତିସଭ୍ୟା ଏବଂ ସେ କଂଗ୍ରେସ ସମର୍ଥନରେ ଏହି ନିର୍ବାଚନ ଲଢୁଥିଲେ। ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଥିବା ଗୋଷ୍ଠୀ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ କୃପାସିନ୍ଧୁ ବେହେରା କହିଛନ୍ତି।

ବ୍ଲକ ଅଧ୍ୟକ୍ଷ ଭାବେ ପୂର୍ବରୁ ବିଜେଡିର ସୁଶାନ୍ତ କୁମାର ପ୍ରଧାନ ବିଜୟୀ ହୋଇଥିବା ବେଳେ ସେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନଙ୍କ ସାନ ଭାଇ। ବିଜେଡି ଉଭୟ ଦୁଇଟିଯାକ ପଦ ହାତେଇଥିବାରୁ ଏବେ ଦଳରେ ଉତ୍ସାହିତ ଦେଖାଯିବା ସହ ଦାରିଙ୍ଗବାଡ଼ି ପଞ୍ଚାୟତ ସମିତିର ୨୫ ପଞ୍ଚାୟତ ଅଞ୍ଚଳରେ ବିକାଶଧାରା ତ୍ୱରାନ୍ବିତ ହୋଇପାରିବ ବୋଲି ଆଶା କରାଯାଇଛି।