ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ସରପଞ୍ଚ: ପାଠ୍ୟ ସମ୍ପର୍କୀୟ ଚିତ୍ର ଆଙ୍କୁଛନ୍ତି ଶିକ୍ଷକ

ଛତ୍ରପୁର,୧୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବିପୁଳିଙ୍ଗି ପଞ୍ଚାୟତ କରାତଳି ଗ୍ରାମର ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ସରପଞ୍ଚ ଟି.ନରସିଂହ ରେଡ୍ଡି ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି। ଏହାପରେ ସ୍କୁଲର ରୂପରଙ୍ଗ ଏକ ପ୍ରକାର ବଦଳିଯାଇଛି। ଅନ୍ୟପଟେ ଶିକ୍ଷକ ଉଦୟ ରଶ୍ମି ପାତ୍ର ସ୍କୁଲର ସମସ୍ତ ପାଚେରୀ ସମେତ ବିଭିନ୍ନ ସ୍ଥାନରେ ଚିତ୍ର ଆଙ୍କିଥିବା ଦେଖିବାକୁ ମିଳିଛି। ପିଲାମାନେ ବହିରେ ପଢ଼ି ଯେତିକି ମନେ ରଖିବେ ନାହିଁ, ଚିତ୍ରକୁ ଦେଖି ତାହାଠାରୁ ଅଧିକ ମନେ ରଖିବେ। ତେଣୁ ଏହି ଚିନ୍ତାଧାରାକୁ ନେଇ ଏବଂ ଏହାକୁ ନିଜର କର୍ତ୍ତବ୍ୟ ଭାବି ସ୍କୁଲର ପାଠ୍ୟ ଉପକରଣ ବିଷୟରେ ଉଲେଖ କରି ଏହି ଚିତ୍ର ଆଙ୍କିଥିବା ସେ କହିଛନ୍ତି। ଯାହାକୁ ପ୍ରତ୍ୟେକ ଦିନ ଛାତ୍ରୀଛାତ୍ରମାନେ ଦେଖି ବିଭିନ୍ନ ବିଷୟରେ ଜାଣିପାରିବେ ବୋଲି ଶିକ୍ଷକ ଉଦୟ ରଶ୍ମି କହିଛନ୍ତି।