କଥା ଦେଇ ପ୍ରତିଶ୍ରୁତି ପୂରଣ କଲେ ସରପଞ୍ଚ

ଦଶମନ୍ତପୁର,୧୫ା୧୧ (ଡି.ଏନ୍‌.ଏ.): ଅନେକେ ଅଛନ୍ତି ନିର୍ବାଚନ ସମୟରେ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇ ରଖନ୍ତି ନାହିଁ। ମାତ୍ର ଏଭଳି କିଛି କମ ରାଜନେତା ଅଛନ୍ତି ଯେଉଁମାନେ ପ୍ରତିଶ୍ରୁତି ଦେଇ ତାହାକୁ ରଖନ୍ତି। ସେହିପରି ପ୍ରତିଶ୍ରୁତି ପାଳନ କରିଥିବା ଜଣେ ମହିଳା ହେଲେ କୋରାପୁଟ ଜିଲା ଦଶମନ୍ତୁର ବ୍ଳକ ଲୁଲା ପଞ୍ଚାୟତର ସରପଞ୍ଚ ଚଞ୍ଚଳା ମୁଦୁଲି। ଚଞ୍ଚଳା ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ମୁଁ ବିଜୟୀ ହେଲେ ଜନସାଧାରଣଙ୍କ ପ୍ରତ୍ୟେକ ସମସ୍ୟା ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ୯୫ ଆଦିବାସୀ ପରିବାର ବସବାସ କରୁଥିବା ପଞ୍ଚାୟତର କୁଦାଲଆଟାଲ ଗ୍ରାମରେ ରାସ୍ତା ନଥିଲା। କୌଣସି ରୋଗୀ କିମ୍ବା ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଚିକିତ୍ସାଳୟକୁ ନେବାକୁ ହେଲେ ଗ୍ରାମଠାରୁ ୫ କି.ମି. ଦୂରରେ ଥିବା ଘଣ୍ଟଗୁଡା ଛକଯାଏ ବୋହି ନେଇ ସେଠାରୁ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଉଥିଲା। ନିର୍ବାଚନରେ ବିଜୟୀ ହେବା ପରେ ଏବେ ସରପଞ୍ଚ ଚଞ୍ଚଳା ଏନଆରଇଜିଏସରେ ୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କୁଦାଲଆଟାଲ ଗ୍ରାମକୁ ରାସ୍ତା ତିଆରି କରିଛନ୍ତି ବୋଲି ଗ୍ରାମବାସୀ ଧନୁ ମୁଦୁଲି, ଥବିର ସାଉଁନ୍ତା, ଆନନ୍ଦ ମୁଦୁଲି, ସଦାଶିବ ମୁଦୁଲି, ଥବିର ମୁଦୁଲି, ରାମ ମୁଦୁଲି, ସାଇବେଣୀ ମୁଦୁଲି ପ୍ରମୁଖ ପ୍ରକାଶ କରିଛନ୍ତି। ଏଥିପାଇଁ ସେମାନେ ସରପଞ୍ଚଙ୍କ ସମେତ ପିଇଓ କେତନ ହଲୱା ଏବଂ ଜିଆଏସ ବିମଳ ଟାକ୍ରିଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆଗାମୀ ଦିନରେ ଗ୍ରାମରେ ସୋଲାର ପାନୀୟ ଜଳ ପ୍ରକଳ୍ପ ଓ ଆଉ ଗୋଟିଏ ନଳକୂପ ଖନନ ଦିଗରେ ପଦକ୍ଷେପ ନେବି ବୋଲି ଚଞ୍ଚଳା କହିଛନ୍ତି।
ଫଟୋ: ସରପଞ୍ଚଙ୍କ ଦ୍ୱାରା ଘଣ୍ଟଗୁଡା ଛକରୁ କୁଦାଲଆଟାଲ ଗ୍ରାମକୁ ନିର୍ମିତ ରାସ୍ତା।