ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା ଏବଂ ଏହା ନ କଲେ ଛଟେଇ ଧମକ ଦିଆଯାଉଥିବା ସଫେଇ କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କୁ ଭେଟି ସଫେଇ କର୍ମଚାରୀମାନେ ଏହି ଅଭିଯୋଗ କରିଛନ୍ତି। ସେମାନଙ୍କ କହିବାଅନୁସାରେ, ସଫେଇ କର୍ମଚାରୀଙ୍କ ମୂଳ କାମ ହେଲା ହସ୍ପିଟାଲର ସଫେଇ କାମ କରିବା। ଏହି କାମକୁ ସଫେଇ କର୍ମଚାରୀମାନେ ଦାୟିତ୍ୱର ସହ ପାଳନ କରୁଛନ୍ତି । ତେବେ ଏହା ବାହାରେ କର୍ମଚାରୀଙ୍କୁ ହସ୍ପିଟାଲର ଅତିରିକ୍ତ କାମ ଦିଆଯାଉଛି। ରୋଗୀମାନଙ୍କୁ ଗାଧୋଇବା, ସଫା କରିବା, ଓଟି ଭିତର ଡାକ୍ତରମାନଙ୍କ ଚପଲ ସଫେଇ କାମ କରିବା, ବିଭିନ୍ନ ଲୁହା ସାମଗ୍ରୀ ନେବା ଆଣିବା, ପେଟି ବୋହିବା, ରୋଗୀଙ୍କୁ ନେବା ଆଣିବା ଏପରି କି ମୃତଦେହ ବୋହିବା କାମ କରିବାକୁ କୁହାଯାଉଛି। କୌଣସି ପରିସ୍ଥିତିରେ ଯଦି କିଛି କେହି ସଫେଇ କର୍ମଚାରୀମାନେ ଅଭିଯୋଗ କରୁଛନ୍ତି। ତେବେ କାମ କରି ନପାରିଲେ ସେମାନଙ୍କୁ ଦର୍ବ୍ୟବହାର ସହ ଛଟେଇ କରିବାକୁ ଧମକ ଦିଆଯାଉଛି। ଏହି ସମସ୍ୟାର ସମାଧାନ ନ ହେଲେ ଏବଂ ସଫେଇ କର୍ମଚାରୀଙ୍କୁ ଉଚିତ୍ ସମ୍ମାନ ପ୍ରଦର୍ଶନ ନ କଲେ ସେମାନେ ବାଧ୍ୟ ହୋଇ ଆଗକୁ ଆନ୍ଦୋଳନ କରିବେ ବୋଲି କର୍ମଚାରୀ ଗୀତାଞ୍ଜଳି ଦୀପ, ବନିତା କୁମ୍ଭାର, କିଶନ ବଗର୍ଭି ପ୍ରମୁଖ ଚେତାବନୀ ଦେଇଛନ୍ତି। ସଫେଇ କର୍ମଚାରୀଙ୍କ ଅଭିଯୋଗ ଶୁଣିବା ପରେ ଏ ସଂକ୍ରାନ୍ତରେ ହସ୍ପିଟାଲ ଅଧିକାରୀଙ୍କ ସହ ଆଲୋଚନା କରି ଉଚିତ୍ ପଦକ୍ଷେପ ନେବେ ବୋଲି ବିଧାୟକ ସିଂଦେଓ ପ୍ରତିଶ୍ରୁତି ଦେଇଥିଲେ।

