ମୁମ୍ବାଇ,୧୨।୪: ଗାୟିକା ଆଶା ଭୋଁସଲେଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହେବା ପରେ ତାଙ୍କୁ ଶନିବାର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ରବିବାର ୯୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି।
ଆଶା ଭୋଁସଲେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାର ଖବର ଆସିବା ମାତ୍ରେ ପ୍ରଶଂସକମାନେ ସୋସିଆଲ ମିଡିଆରେ ନିଜର ଭାବନାକୁ ପ୍ରକାଶ କରିଥିଲେ। ପ୍ରଶଂସକମାନେ ଆଶାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥଲେ। ଏହି ସମୟରେ, ତାଙ୍କ ଦିବଂଗତ ଭଉଣୀ ତଥା ଗାୟିକା ଲତା ମଙ୍ଗେସକରଙ୍କ ସହ ଆଶା ଭୋଁସଲେଙ୍କ ଏକ ଫଟୋ ଇଣ୍ଟରନେଟରେ ଭାଇରାଲ ହେଉଛି।
ସ୍ବର୍ଗୀୟ ଲତା ମଙ୍ଗେସକର ଆଶା ଭୋଁସଲେଙ୍କ ବଡ଼ ଭଉଣୀ ଥିଲେ। ଉଭୟ ଭଉଣୀ ସଙ୍ଗୀତ ଶିଳ୍ପରେ ସର୍ବୋଚ୍ଚ ସ୍ଥାନରେ ରାଜତ୍ୱ କରୁଥିଲେ ଏବଂ ଏକ ଅତ୍ୟନ୍ତ ଘନିଷ୍ଠ ସମ୍ପର୍କ ସ୍ଥାପନ କରୁଥିଲେ। ଆଶା ପ୍ରାୟତଃ ତାଙ୍କ ‘ଦିଦି’ (ବଡ଼ ଭଉଣୀ)ଙ୍କ ସହିତ ଫଟୋ କିମ୍ବା ସ୍ମୃତି ଅନେକ ସମୟରେ ଶେୟାର କରନ୍ତି। ସେ ପୂର୍ବରୁ ତାଙ୍କ ଭଉଣୀଙ୍କ ସହ ତାଙ୍କର ଏକ ପିଲାଦିନର ଫଟୋ ଶେୟାର କରିଥିଲେ, ଯାହା ଏବେ ଅନଲାଇନରେ ଖୁବ ଭାଇରାଲ ହେଉଛି।
ପ୍ରକୃତରେ, ଚାରି ବର୍ଷ ପୂର୍ବେ – ଫେବୃଆରୀ ୬, ୨୦୨୨ରେ – ଆଶା ଭୋଁସଲେ ତାଙ୍କ ଭଉଣୀଙ୍କ ସହ ଏହି ପିଲାଦିନର ଫଟୋ ଶେୟାର କରିଥିଲେ। ଫଟୋ ସହିତ ଆଶା କ୍ୟାପସନରେ ଲେଖିଛନ୍ତି: ‘ଓଃ, ପିଲାଦିନର ସେହି ଦିନଗୁଡ଼ିକ କି ସୁନ୍ଦର ଥିଲା! ଦିଦି ଏବଂ ମୁଁ।’ ପ୍ରଶଂସକମାନେ ଏବେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଫଟୋଟିକୁ ପୁନଃ ଶେୟାର କରୁଛନ୍ତି।
ସୂଚନାଯୋଗ୍ୟ ଯେ ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକରଙ୍କୁ ‘ଭାରତର ନାଇଟଆଙ୍ଗେଲ’ (ସ୍ବର କୋକିଲା) ଭାବରେ ଜଣାଶୁଣା – ଫେବୃଆରୀ ୬, ୨୦୨୨ ରେ ୯୨ ବର୍ଷ ବୟସରେ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଦେହାନ୍ତ ହୋଇଥିଲେ। ଲତା ମଙ୍ଗେସକରଙ୍କ ଦେହାନ୍ତ ପରେ, ଆଶା ଭୋଁସଲେ ଦୁଃଖର ଭାଙ୍ଗି ପଡ଼ିଥିଲେ।
ଆଶା ଭୋଁସଲେଙ୍କ ବିଷୟରେ କହିବାକୁ ଗଲେ, ଗାୟିକାଙ୍କୁ ଥକ୍କାପଣ ଏବଂ ଛାତି ସଂକ୍ରମଣ ଯୋଗୁ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରେ, ଆଶାଙ୍କ ନାତୁଣୀ, ଜାନାଇ ଭୋଁସଲେ, ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ତାଙ୍କ ଜେଜେମାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ତାଙ୍କ ଜେଜେମା ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି ଏବଂ ସବୁକିଛି ଭଲ ହୋଇଯିବ ବୋଲି ଆଶା ପ୍ରକାଶ କରିଛନ୍ତି।
ଦୁଇ ଭଉଣୀଙ୍କ ମଧ୍ୟରେ ଥିବା ଭଲ ପାଇବାର ସଂଯୋଗ ବଶତଃ ହୁଏତ ସମାନ ବୟସ ଓ ସମାନ ହସ୍ପିଟାଲରେ ଉଭୟ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୂଚନାଯୋଗ୍ୟ, ୯୨ ବର୍ଷ ବୟସରେ ବ୍ରିଚ କାଣ୍ଡି ହସ୍ପିଟାଲରେ ଲତା ମଙ୍ଗେସକର ଫେବୃଆରୀ ୬, ୨୦୨୨ରେ ଠିକ ୪ବର୍ଷ ପୂର୍ବେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଆଉ ରବିବାର ଏପ୍ରିଲ ୧୨, ୨୦୨୬ ଠିକ ୯୨ ବର୍ଷ ବୟସରେ ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ଆଶା ଭୋଁସଲେଙ୍କର ପରଲୋକ ହୋଇଛି।

