ଦାରିଙ୍ଗବାଡି, ୨୫ /୬ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ବୁଧବାର ସମ୍ବିଧାନ ହତ୍ୟା ଦିବସ ପାଳିତ ହୋଇଯାଇଛି । ଏହି ପ୍ରରିପ୍ରେକ୍ଷୀରେ
ବ୍ରାହ୍ମଣୀଗାଁ ଋଷିମାଳ ମହାବିଦ୍ୟାଳୟରେ ମଧ୍ୟ ଏହି ଦିବସ ପାଳନ କରାଯାଇଛି I ଅଧକ୍ଷ ଡ଼ଃ ଭାସ୍କର ଚରଣ ନାୟକଙ୍କ ସଭାପତିତ୍ୱ କାର୍ଯ୍ୟକ୍ରମରେ ଇତିହାସ ବିଭାଗ ଅଧ୍ୟାପକ ଅକ୍ଷୟ କୁମାର ବେହରଦଲାଇ ସ୍ବାଗତ ଭାଷଣ ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ I ମୁଖ୍ୟ ଅତିଥି ଭାବେ ଅର୍ଥନୀତି ଅଧ୍ୟାପକ ସନ୍ତୋଷ ନାହାକ ଯୋଗଦାନ କରି ତାଙ୍କ ବକ୍ତବ୍ୟରେ ୧୯୭୫ ଜୁନ ୨୫ ତାରିଖ ଜରୁରୀକାଳୀନ ପରିସ୍ଥିତି ସମୟରେ ମୌଳିକ ଅଧିକାର, ପ୍ରେସ ସ୍ବାଧୀନତା ସେନସରସିପ ବିରୋଧୀ ଦଳର ନେତା ମାନଙ୍କୁ ଜେଲରେ ରଖାଯାଇଥିବା କଥା ଏବଂ ବଳପୂର୍ବକ ବାକରଣ ସମ୍ପର୍କରେ କହିଥିଲେ I ସେହିପରି ମୁଖ୍ୟବକ୍ତା ଭାବେ ଇତିହାସ ଅଧ୍ୟାପକ ରାଜକିଶୋର ସିଂ ନାଗରିକମାନଙ୍କ ସ୍ବାଧୀନତାର ସ୍ଥିରତା ଏବଂ ରାଜନୈତିକ ଦମନର ସେହି ସମୟ ମଧ୍ୟରେ ଯେଉଁମାନେ କଷ୍ଟ ଭୋଗିଥିଲେ ସେମାନଙ୍କୁ ମନେ ପକାଇଥିଲେ। ଗଣତନ୍ତ୍ରର ପବିତ୍ରତା ବଜାୟ ରଖିବା ପାଇଁ ଛାତ୍ରୀଛାତ୍ରମାନଙ୍କୁ ଆହ୍ବାନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପିକା ସୁନିତା ସିଂ , ଅଧ୍ୟାପକ କୃଷ୍ଣ କୁମାର ମାଝୀ, ରବିନାରାୟଣ ପଢି, ଅଜିତ ନାୟକ ଏବଂ ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ। ଶେଷରେ ରାଜନୀତି ବିଭାଗ ଅଧ୍ୟାପକ ସୁଜ୍ଞାନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଆସନ୍ତା ଶନିବାର ସମ୍ବିଧାନ ହତ୍ୟା ଦିବସ ଏବଂ ଜରୁରୀକାଳୀନ ପରିସ୍ଥିତିର ୫୦ ବର୍ଷ ପାଳନ ନିମନ୍ତେ ଏକ କୁଇଜ ପ୍ରତିଯୋଗିତା କରିବା ନିମନ୍ତେ ସ୍ଥିର କରାଯାଇଛି ବୋଲି ମହାବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ସେହିପରି ଭାଜପା ପକ୍ଷରୁ ବ୍ରାହ୍ମଣୀଗାଁ ମଣ୍ଡଳ ସଭାପତି ଗଣେଶ ଡାକୁଆଙ୍କ ନେତୃତ୍ୱରେ ଏହି ଦିବସ ପାଳନ କରାଯାଇଥିବା ବେଳେ ସିମନବାଡିର ଶିବମନ୍ଦିର ପ୍ରାଙ୍ଗଣରେ ମଧ୍ୟ ଭାଜପା ପକ୍ଷରୁ ଏହି ଦିବସ ପାଳନ କରାଯାଇଥିଲା।


