ସମ୍ବଲପୁର କୋର୍ଟକୁ ତୃତୀୟ ଥର ପାଇଁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଓକିଲଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ସମ୍ବଲପୁର,୧୩।୭(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କୋର୍ଟକୁ ପୁଣି ଥରେ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ତୃତୀୟ ଥର ପାଇଁ ଏଭଳି ଧମକପୂର୍ଣ୍ଣ ମେଲ ଆସିବା ପରେ କୋର୍ଟ ପରିସର ଓ ଏହାର ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଖବର ପ୍ରଚାରିତ ହେବା ମାତ୍ରେ ସମ୍ବଲପୁର ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବେଶ କଡ଼ାକଡ଼ି କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଏସଡ଼ିପିଓ ତୋଫାନ ବାଗ। ସ୍ଥିତିକୁ ପରଖିବା ସହ ସୁରକ୍ଷା ନିଶ୍ଚିତ କରିବା ପାଇଁ କୋର୍ଟ ପରିସରରେ ବୋମା ନିରୋଧକ ସ୍କ୍ବାର୍ଡ, ସନ୍ଧାନୀ କୁକୁର, ମେଟାଲ ଡିଟେକ୍ଟର, ଏନଏଲଜେଡି ଏବଂ ଅପଟିକାଲ ଫାଇବର ସ୍କୋପ ସାହାଯ୍ୟରେ ବ୍ୟାପକ ସର୍ଚ୍ଚ ଅପରେଶନ କରାଯାଇଛି। କେବଳ ଭିତରେ ନୁହେଁ, ବରଂ କୋର୍ଟ ବାହାରେ ରଖାଯାଇଥିବା ସମସ୍ତ ଗାଡ଼ି ମୋଟର ଏବଂ ସେଗୁଡ଼ିକର ଡିକିକୁ ମଧ୍ୟ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଛି।
ପୁଲିସ ସୂଚନା ଅନୁଯାୟୀ, ଚଳିତ ବର୍ଷ ଜାନୁଆରି ୮ ରେ ପ୍ରଥମେ ସମ୍ବଲପୁର କୋର୍ଟ ସହ ହାଇକୋର୍ଟ ଓ ଦେବଗଡ଼ ଜିଲା କୋର୍ଟକୁ ବୋମା ଧମକ ଆସିଥିଲା। ଏହାପରେ ଫେବୃଆରି ୬ରେ ଓଡ଼ିଶାର ଏକାଧିକ କୋର୍ଟ ଏବଂ ମାର୍ଚ୍ଚ ମାସରେ ସମ୍ବଲପୁର ଓ ବରଗଡ଼ ଜିଲା କୋର୍ଟକୁ ଏଭଳି ଧମକପୂର୍ଣ୍ଣ ମେଲ ମିଳିଥିଲା। ଏବେ ପୁଣି ଥରେ ସମ୍ବଲପୁର କୋର୍ଟକୁ ଟାର୍ଗେଟ କରାଯାଇଥିବାରୁ ସ୍ଥାନୀୟ ଓକିଲମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଏହା ପଛର ପ୍ରକୃତ ରହସ୍ୟ ଖୋଲିବାରେ ଏବଂ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ପୁଲିସ ବିଫଳ ହୋଇଥିବା ଅଭିଯୋଗ ହୋଇଛି। କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏଭଳି ଇମେଲ ପଠାଉଛି, ତାହାର ସନ୍ଧାନ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଏହି ଘଟଣାର ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓକିଲ ସଂଘ ଦାବି କରିଛି।

Dharitri – Odisha’s No.1, Most Trusted Odia Daily

Share