ସଜେଇ ହେଲାଣି ସରମରା

ଭଦ୍ରକ ଅଫିସ, ୨୪।୧: ସରସ୍ବତୀ ପୂଜା ପାଇଁ ଭଦ୍ରକ ଜିଲାରେ ପ୍ରସିଦ୍ଧିଲାଭ କରିଥିବା ବନ୍ତ ବ୍ଲକର ସରମରା ଗାଁ ସଜେଇ ହେଲାଣି। କୋଭିଡ୍‌ ଯୋଗୁ ଦୁଇବର୍ଷର କଟକଣା ପରେ ଏଥର ପୂଜାକୁ ନେଇ ଗାଁରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଗାଁର ୪ ମଣ୍ଡପରେ ମା’ ବିଦ୍ୟାଦାତ୍ରୀ ପୂଜା ପାଇବେ। ଉକ୍ତ ଗ୍ରାମରେ ପୂର୍ବରୁ ଗୋଟିଏ ସ୍ଥାନରେ ମିଳିତ ଭାବେ ପୂଜା ଅନୁଷ୍ଠିତ ହୋଇଆସୁଥିବା ବେଳେ ୧୯୮୯ରୁ ପୃଥକ୍‌ ଭାବେ ପୂଜା କରାଯାଉଛି। ଗ୍ରାମର ଉତ୍ତର ଦିଗରେ ୟୁନାଇଟେଡ କ୍ଲବ, ଦକ୍ଷିଣରେ ଜୟକିଷାନ, ଗାଁ ମଝିରେ ସରସ୍ବତୀ ୟୁଥ୍‌ ଓ ଆସମିଶ କ୍ଲବ ପକ୍ଷରୁ ପୂଜା ଅନୁଷ୍ଠିତ ହେବ। ଆସନ୍ତା ଗୁରୁବାରଠାରୁ ପୂଜା ଆରମ୍ଭ ହେଉଥିବା ବେଳେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସାଙ୍ଗକୁ ପାର୍ଶ୍ୱମୂର୍ତ୍ତି ଓ ସୁଉଚ୍ଚ ତୋରଣ ନିର୍ମାଣ ଚାଲିଛି। ମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବ୍ୟବସାୟୀମାନେ ମଧ୍ୟ ପସରା ମେଲିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ୭ ଦିନ ଧରି ପୂଜା ଚାଲିବ। ପ୍ରତ୍ୟହ ସନ୍ଧ୍ୟାରେ ମେଲୋଡ଼ି, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାଧାରଣ ସଭା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ୟୁନାଇଟେଡ୍‌ କ୍ଲବ ପକ୍ଷରୁ ଛବୀନ୍ଦ୍ର ବିଶ୍ୱାଳ, ରଙ୍ଗାଧର ନାୟକ, ଜୟ କିଷାନ ପକ୍ଷରୁ ବିଶ୍ୱନାଥ ଜେନା, ଦେବାନନ୍ଦ ମହାପାତ୍ର ପ୍ରମୁଖ ଦାୟିତ୍ୱ ନେଇଛନ୍ତି। ସେହିପରି ଆସମିଶ କ୍ଲବ ପକ୍ଷରୁ ପ୍ରଶାନ୍ତ ଦାସ, ପ୍ରିୟବ୍ରତ ଦାସ, ସରସ୍ବତୀ ୟୁଥ୍‌ କ୍ଲବର ସୁଧାକର ବିଶ୍ୱାଳ ଓ ବିଷ୍ଣୁମୋହନ ବିଶ୍ୱାଳ ପୂଜା ଦାୟିତ୍ୱ ନେଇଛନ୍ତି।
ଏହି ପୂଜାରେ ପ୍ରତ୍ୟେକ ସନ୍ଧ୍ୟାରେ ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲାରୁ ହଜାର ହଜାର ଦର୍ଶକଙ୍କ ଭିଡ଼ ଜମିଥାଏ। ଗଁାର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଶାନ୍ତିଶୃଙ୍ଖଳା ପ୍ରତି ଧ୍ୟାନ ରଖିଥାନ୍ତି। ଯୁବକମାନଙ୍କ ମଧ୍ୟେରେ ଭାଇଚାରାର ସମ୍ପର୍କ ସୃଷ୍ଟି ହୋଇଥାଏ। ଏଥର ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବନ୍ତ ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଥାନାଧିକାରୀ ଆଦିତ୍ୟ ପ୍ରସାଦ ଜେନା କହିଛନ୍ତି।