ଶୈଫ ଦେଲେ ପ୍ରଶଂସକଙ୍କୁ ଆଉ ଏକ ସର୍‌ପ୍ରାଇଜ

ମୁମ୍ବାଇ: ଛୋଟେ ନଓ୍ବାବ ଶୈଫ ଅଲି ଖାଁଙ୍କ ପରିବାର ଏବେ ଖୁବ୍‌ ଚର୍ଚ୍ଚାରେ। ୨୦୨୦ ବଲିଉଡ୍‌ ଇଣ୍ଡଷ୍ଟ୍ରି ପାଇଁ ଭଲ କଟି ନ ଥିବା ବେଳେ ଏହା ଇଣ୍ଡଷ୍ଟ୍ରିକୁ ବହୁ ମାତ୍ରାରେ ପ୍ରଭାବିତ କରିଛି। ତେବେ ଶୈଫ ଅଲି ଖାଁ ଚଳିତ ବର୍ଷକୁ ଖୁବ୍‌ ସେଲିବ୍ରେଟ କରିଛନ୍ତି ବୋଲି କୁହାଯାଉଛି। ପ୍ରଥମେ ଶୈଫ ଓ ତାଙ୍କ ପିତ୍ନୀ କରିନା କପୁର ଖାଁ ପ୍ରଥମେ ତାଙ୍କ ଦ୍ୱିତୀୟ ସନ୍ତାନ କଥା କହିଥିଲେ ଏହା ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ସରପ୍ରାଇଜ୍‌ ଥିଲା। ଏଥର କିନ୍ତୁ ଶୈଫ ଏକ ନୂଆ ସର୍‌ପ୍ରାଇଜ୍‌ ଦେଇଛନ୍ତି। ଶୈଫ ପଢିବାକୁ ଲେଖିବାକୁ ବେଶ୍‌ ପସନ୍ଦ କରନ୍ତି ବୋଲି ଏକଥା ଅନେକେ ଜାଣନ୍ତି। ଏବେ ଶୁଣିବାକୁ ମିଳିଛି କି ଶୈଫ ତାଙ୍କ ଅଟୋବାୟୋଗ୍ରାଫି ଲେଖିବାକୁ ଯାଉଛନ୍ତି। ଏଥିରେ ସେ ତାଙ୍କ ପରିବାର, କ୍ୟାରିୟର, ତାଙ୍କର ସଫଳତା-ବିଫଳତା, କାହାଦ୍ୱାରା ସେ ପ୍ରଭାବିତ ହୋଇଛନ୍ତି, କାହାଠାରୁ ତାଙ୍କୁ ପ୍ରେରଣା ମିଳିଛି ଏସବୁ କଥା ଉଲ୍ଲେଖ କରିବେ ବୋଲି ଜଣାପଡିଛି। ଟାଇମ୍ସ ଅଫ୍‌ ଇଣ୍ଡିଆର ଏକ ଖବର ଅନୁଯାୟୀ, ଅଟୋବାୟୋଗ୍ରାଫିକୁ ନେଇ ଶୈଫ କହିଛନ୍ତି, ସମୟ ଅନୁସାରେ ବହୁତ କିଛି ପରିବର୍ତ୍ତନ ହେବାରେ ଲାଗିଛି। ତେଣୁ ମୋତେ ଲାଗୁଛି ଏବେ ଯଦି ମୁଁ ଏହାକୁ ସଜେଇ ନ ରଖିବି ତେବେ ଏହାବି ହଜିଯାଇପାରେ। ବରଂ ଏହାକୁ ପରେ ଦେଖିଲେ ଖୁବ୍‌ ସୁନ୍ଦର ଲାଗିବ ବୋଲି ସେ କହିଛନ୍ତି। ଏବେ ପର୍ଯ୍ୟନ୍ତ ପୁସ୍ତକର ନାଁ ସ୍ଥିର ହୋଇ ନ ଥିବା ବେଳେ ଶୈଫ ତାଙ୍କ ଅନୁଯାୟୀ ଏହାକୁ ଲେଖିବେ ବୋଲି ଅନୁମାନ କରାଯାଉଛି। ଆସନ୍ତା ବର୍ଷ ପୁସ୍ତକଟି ରିଲିଜ୍‌ ହେବ ବୋଲି କୁହାଯାଉଛି।

Share