କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଏନ୍ଏସି ୧୦ ନଂ ୱାର୍ଡ ଭେଙ୍କଟେଶ୍ୱର ସାହିରେ।
ଦୀର୍ଘ ବର୍ଷ ହେଲା ସାହି ଛକର କଲଭର୍ଟ ଭାଙ୍ଗି ବିପଦ ସଙ୍କୁଳ ଅବସ୍ଥାରେ ପଡି ରହିଥିଲା। ଏନେଇ ସାହିବାସୀ ପ୍ରଶାସନ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ। ହେଲେ କିଛି ସୁଫଳ ମିଳି ନ ଥିଲା। ଅନେକ ଯାତ୍ରୀ ଓ ଗାଡି ବିଭିନ୍ନ ସମସ୍ୟାରେ ପଡ଼ିଥିଲେ ବି ତାର ସମାଧାନ ହୋଇପାରିଲା ନାହିଁ। ପ୍ରଶାସନ ନ ଚେତିବାରୁ ସାହିବାସୀ ଅଣ୍ଟାଭିଡ଼ି ନିଜ ଉଦ୍ୟମରେ କଲଭର୍ଟ ନିର୍ମାଣ କରିଛନ୍ତି। ମେରୁ ପର୍ବକୁ ଦୃଷ୍ଟିରେ ରଖି ସାହିବାସୀଙ୍କ ଉଦ୍ୟମରେ ସମସ୍ୟାର ସମାଧାନ ହୋଇପାରିଛି।

