Sahara Refund: ଏବେ ସାହାରା ରିଫଣ୍ଡ ପୋର୍ଟାଲରେ ୧୯,୯୯୯ ଟଙ୍କା ଯାଏ କରିପାରିବେ କ୍ଲେମ୍‌, ତୁରନ୍ତ ଏଭଳି କରନ୍ତୁ ଆବେଦନ

ନୂଆଦିଲ୍ଲୀ,୨୧।୧୨: ସାହାରା ଇଣ୍ଡିଆରେ ଫସିଥିବା ଟଙ୍କାକୁ ଫେରି ପାଇବାକୁ ଚାହିଁ ରହିଥିବା କୋଟି କୋଟି ଲୋକଙ୍କ ଲାଗି ଖୁସି ଖବର। ଏବେଠାରୁ ନିବେଶକମାନେ ରିଫଣ୍ଡ ପୋର୍ଟାଲରୁ ୧୯,୯୯୯ ଟଙ୍କା ଯାଏ କ୍ଲେମ୍‌ ଫାଇଲ କରିପାରିବେ। ଏଯାବତ ଏହି ରାଶି ୧୦ ହଜାର ଟଙ୍କା ଯାଏ ଥିଲା।

ସରକାରଙ୍କ ପକ୍ଷରୁ ଟଙ୍କା ଫେରି ପାଇବା ଲାଗି ସାହାରା ଇଣ୍ଡିଆ ରିଫଣ୍ଡ ପୋର୍ଟାଲ କରାଯାଇଛି। ଏହି ପୋର୍ଟାଲ ଜରିଆରେ ଏବେ ଯାଏ ୩ କୋଟିରୁ ଅଧିକ ଲୋକେ ଆବେଦନ କରିସାରିଛନ୍ତି।

ତେବେ ବୁଧବାର ସରକାର ପାର୍ଲାମେଣ୍ଟରେ କହିଛନ୍ତି ଯେ ତାଙ୍କ ପାଖରେ ବର୍ତ୍ତମାନ ୫ ହଜାର କୋଟି ଟଙ୍କା ଅଛି। ଅଧିକ ଟଙ୍କା ଲାଗି ସେମାନେ ପୁଣିଥରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବେ। ଏସବୁ ମଧ୍ୟରେ ପୁଣିଥରେ ସାହାରା ରି ସବ୍‌ମିଶନ ପୋର୍ଟାଲ ଲାଇଭ ହୋଇଛି। ଏଥିସହ ପୋର୍ଟାଲରେ ଗୋଟିଏ ନୋଟିଫିକେଶନ ଫ୍ଲାସ୍‌ ହେଉଛି। ଯେଉଁମାନେ ଆବେଦନ କରିଥିଲେ ହେଁ ତାହାକୁ ମଞ୍ଜୁର କରାଯାଇପାରିନାହିଁ, ସେମାନେ ପୁଣିଥରେ ରିଫଣ୍ଡ ଲାଗି ଆବେଦନ କରିପାରିବେ।

ନୋଟିଫିକେଶରେ ଲେଖାଯାଇଛି ଯେ ଜମାକାରୀମାନେ ଧ୍ୟାନ ଦିଅନ୍ତୁ। ଯେଉଁମାନଙ୍କୁ କୌଣସି ଭୁଲ ଅଥବା ପୁଣିଥରେ ପେମେଣ୍ଟ ଫେଲ୍‌ ଲାଗି ସୂଚିତ କରାଯାଇଛି ସେ ଦୟାକରି ପୁଣିଥରେ ସୁଧାର ସହ ଆବେଦନ କରନ୍ତୁ। ଆମେ ୧୯,୯୯୯ ଟଙ୍କା ଯାଏ କ୍ଲେମ୍‌ ଲାଗି ପୁନଃ ସବ୍‌ମିଶନ ସ୍ବିକାର କରୁଛୁ। ଅନ୍ୟ ରାଶି ଲାଗି ତାରିଖ ଘେଶଷଣା ଶୀଘ୍ର କରାଯିବ। ତେବେ ପୁଣିଥରେ କରାଯାଇଥିବା ଆବେଦନକୁ ୪୫ କାର୍ଯ୍ୟଦିବସ ମଧ୍ୟରେ ବିଚାର କରାଯିବ ବୋଲି କୁହାଯାଇଛି।

Share