Categories: ଖେଳ

ନେପାଳକୁ ୪-୧ରେ ହରାଇଲା ଭାରତ

ଢାକା, ୨୧।୩: ସ୍ଥାନୀୟ ବିଏସ୍‌ଏସ୍‌ଏସ୍‌ ମୁସ୍ତାଫା କମଲ ଷ୍ଟାଡିୟମରେ ୧୭ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟବଲ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି। ସୋମବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଶିଲ୍‌ଜି ଶାଜିଙ୍କ ହ୍ୟାଟ୍ରିକ ବଳରେ ଭାରତ ୪-୧ ଗୋଲରେ ନେପାଳକୁ ହରାଇ ଦେଇଛି।
ଚଳିତ ବର୍ଷ ପ୍ରାରମ୍ଭରେ ୨୦ ବର୍ଷରୁ କମ୍‌ ଭାରତୀୟ ଦଳ ସମାନ ଷ୍ଟାଡିୟମରେ ସମାନ ପ୍ରତିଦ୍ୱନ୍ଦ୍ୱୀ ଦଳଠାରୁ ହାରିଯାଇଥିଲା। ତେଣୁ ଆକ୍ରମଣାତ୍ମକ ଆଭିମୁଖ୍ୟନେଇ ଖେଳିଥିବା ଭାରତ ୪୦ ସେକେଣ୍ଡ ମଧ୍ୟରେ ଗୋଲ ସୁଯୋଗ ସୃଷ୍ଟି କରିଥିଲା। ୨୦ ମିନିଟ ବେଳକୁ ଦଳ ୩ ଥର ପ୍ରତିପକ୍ଷ ଦଳର ନେଟ୍‌ରେ ବଲ୍‌ ଭର୍ତ୍ତି କରିବାକୁ ସକ୍ଷମ ହୋଇଥିଲା। ମାତ୍ର ଅଫ୍‌ସାଇଡ୍‌ ଯୋଗୁ ୨ଟି ଗୋଲ ନାକଚ ହୋଇଯାଇଥିଲା। ୧୦ମ ମିନିଟରେ ଶିଲ୍‌ଜିଙ୍କ ଗୋଲ ବଳରେ ଭାରତ ଅଗ୍ରଣୀ ହାସଲ କରିଥିଲା। ଖୁସିଙ୍କଠାରୁ ଲଙ୍ଗ୍‌ ପାସ୍‌ ପାଇଥିଲେ ଶିଲ୍‌ଜି। ବଲ୍‌କୁ ନିୟନ୍ତ୍ରଣରେ ରଖି ଗୋଲ ଦେବାରେ ସକ୍ଷମ ହୋଇଥିଲେ। ନେପାଳ ଏକ ବିପଜ୍ଜନକ ପ୍ରତିଦ୍ୱନ୍ଦ୍ୱୀ ବୋଲି ଭାରତୀୟ ଖେଳାଳିମାନେ ଭଲଭାବେ ଜାଣିଥିଲେ। ତେଣୁ କୌଣସି ମୁହୂର୍ତ୍ତରେ ମଧ୍ୟ ହାଲୁକା ମନୋଭାବ ପୋଷଣ କରି ନ ଥିଲେ। ୪୦ତମ ମିନିଟରେ ବ୍ୟକ୍ତିଗତ ଏବଂ ଦଳଗତ ଦ୍ୱିତୀୟ ଗୋଲ ଦେଇଥିଲେ ଶିଲ୍‌ଜି। ଏଥର ତାଙ୍କ ନିକଟକୁ ବଲ୍‌ ପାସ୍‌ ଦେଇଥିଲେ ଥୋଇବିସାନା। ଏହାର ୧ ମିନିଟ ପରେ ଅର୍ଥାତ୍‌ ୪୧ତମ ମିନିଟରେ ପୂଜା ଏକ ଗୋଲ ଦେଇ ପ୍ରଥମାର୍ଦ୍ଧ ଶେଷ ବେଳକୁ ଭାରତର ଅଗ୍ରଣୀ ବ୍ୟବଧାନକୁ ୩-୦ରେ ପହଞ୍ଚାଇ ଦେଇଥିଲେ। ଓ୍ବିଙ୍ଗର ପୂଜାଙ୍କୁ ଏଥର ପାସ୍‌ ଦେଇଥିଲେ ଶିଲ୍‌ଜି।
ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ଆକ୍ରମଣକୁ ଜୋରଦାର କରି ଗୋଲ ପରିଶୋଧପାଇଁ ଉଦ୍ୟମ କରିଥିଲା ନେପାଳ। ଭାରତୀୟ ଦଳ ଏହାକୁ ପ୍ରତିହତ କରିଥିଲେ ହେଁ ୫୪ତମ ମିନିଟରେ ନେପାଳର ବର୍ଷା ଓଲି ଭାରତୀୟ ରକ୍ଷଣଭାଗ ଭେଦକରି ଗୋଟିଏ ଗୋଲ ଦେବାରେ ସକ୍ଷମ ହୋଇଥିଲେ। ମାତ୍ର ଭାରତୀୟ ଖେଳାଳିମାନେ ଏଥିରେ ଚାପକୁ ନ ଆସି ଉତ୍ସାହପୂର୍ଣ୍ଣ ପ୍ରଦର୍ଶନ କରିଥିଲେ। ୮୧ତମ ମିନିଟରେ ବ୍ୟକ୍ତିଗତ ତୃତୀୟ ଗୋଲ ଦେଇ ହ୍ୟାଟ୍ରିକ୍‌ ପୂରଣ କରିଥିଲେ ଶିଲ୍‌ଜି।
ଏଥର ଭାରତୀୟ ଦଳର ସହକାରୀ କୋଚ୍‌ ଅଛନ୍ତି ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଖେଳାଳି ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ। ଦଳର ପ୍ରଦର୍ଶନରେ ସ୍ବାଭାବିକଭାବେ ଖୁସି ଜାହିର କରିଛନ୍ତି ଶ୍ରଦ୍ଧାଞ୍ଜଳି। ଶିଲ୍‌ଜି ଚମତ୍କାର ଖେଳିଛନ୍ତି, ତେବେ ଏହା ଦଳଗତ ପ୍ରଦର୍ଶନର ଫଳ ବୋଲି ସେ ପ୍ରକାଶ କରିଛନ୍ତି। ଆସନ୍ତା ୨୪ ତାରିଖରେ ଭାରତ ଏହାର ପରବର୍ତ୍ତୀ ମ୍ୟାଚ ବାଂଲାଦେଶ ସହିତ ଖେଳିବ। ଏହାପରେ ୨୬ରେ ଭୁଟାନ ଓ ୨୮ରେ ରୁଷିଆ ସହିତ ମୁକାବିଲା କରିବ।

Share