ଦକ୍ଷିଣ ଆଫ୍ରିକାରେ ଫସିଛନ୍ତି ସବ୍ୟସାଚୀ

ଢେଙ୍କାନାଳ ଅଫିସ, ୧୫।୭: ଆସାଇନ୍‌ମେଣ୍ଟ କାର୍ଯ୍ୟରେ ଦକ୍ଷିଣ ଆଫ୍ରିକା ଯାଇଥିଲେ। ହେଲେ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ କରୋନା ସଂକ୍ରମଣ ବଢ଼ିଲା। ବନ୍ଦ ହୋଇଗଲା ଅନ୍ତଃରାଷ୍ଟ୍ରୀୟ ବିମାନ ଚଳାଚଳ। ବର୍ଷାଧିକ ରହଣି ଭିତରେ ଅବଧି ସରିଯିବା ପରେ ବାତିଲ ହୋଇଗଲା ଭିସା। ଫଳରେ ତାଙ୍କର ଫେରିବା ବାଟ ବନ୍ଦ ହୋଇଗଲା। ଇତିମଧ୍ୟରେ ପୁଅର ଫେରିବା ବାଟକୁ ଚାହିଁ ମଧୁମେହ ପୀଡ଼ିତା ମା’ ଆରପାରିରେ। ଢେଙ୍କାନାଳ ସଦର ଥାନା ବେଲଟିକିରି ଗ୍ରାମରୁ ସାମ୍ନାକୁ ଆସିଛି ଏଭଳି ଏକ ଦୁଃଖଦ ଘଟଣା, ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା।
ଭୁବନେଶ୍ୱରସ୍ଥିତ ଏଜି ଅଫିସରେ କାର୍ଯ୍ୟ କରନ୍ତି ରଞ୍ଜନ ନନ୍ଦ। ଡିସେମ୍ବର ୨୦୧୯ରେ ତାଙ୍କର ଏକମାତ୍ର ପୁଅ ସବ୍ୟସାଚୀ ଦକ୍ଷିଣ ଆଫ୍ରିକାସ୍ଥିତ ‘ଫାର୍ମା କଲଚର’ ନାମକ ଏକ ଘରୋଇ ସଂସ୍ଥାରେ ୩ ମାସିଆ ତାଲିମ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ। ୨୦୨୦ ଏପ୍ରିଲରେ ସେ ଫେରିବାର ଥିଲା। କିନ୍ତୁ କରୋନା ମହାମାରୀ ଯୋଗୁ ଭାରତ ସରକାର ସମସ୍ତ ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ନିଷିଦ୍ଧ କରିବା ପରେ ସବ୍ୟସାଚୀ ଜୋହାନ୍ସବର୍ଗସ୍ଥିତ ଜଣେ ବ୍ୟକ୍ତିଙ୍କ ଘରେ ଭଡ଼ାରେ ରହୁଥିଲେ। ଇତିମଧ୍ୟରେ ତାଙ୍କର ଭିସା ବାତିଲ ହୋଇଯାଇଥିଲା। ୨୦୨୧ ଫେବୃୟାରୀରେ କେତେଜଣ ଆତତାୟୀ ସବ୍ୟସାଚୀ ରହୁଥିବା ଭଡ଼ା ଘରେ ପଶି ଘର ମାଲିକଙ୍କ ପୁଅକୁ ଗୁଳିକରି ହତ୍ୟା କରିଥିଲେ। ଘଟଣାର ପ୍ରତ୍ୟକ୍ଷଦର୍ଶୀ ହୋଇଥିବାରୁ ପୋଲିସ ସବ୍ୟସାଚୀଙ୍କୁ ଅଟକ ରଖିବା ସହ ପାସପୋର୍ଟ ଜବତ କରିଥିଲା। ଦୀର୍ଘଦିନ ପରେ ଘଟଣା ସମ୍ପର୍କରେ ପରିବାର ଲୋକେ ସୂଚନା ପାଇଥିଲେ। ଏହାପରେ ସବ୍ୟସାଚୀ ରହୁଥିବା ଘର ମାଲିକ ଏବଂ ସେଠାକାର ପୋଲିସ ସହିତ ଯୋଗାଯୋଗ କରିଥିଲେ। ତେବେ ତଦନ୍ତ ଶେଷ ନ ହେବା ଯାଏ ସବ୍ୟସାଚୀଙ୍କୁ ଛଡ଼ାଯିବନାହିଁ ବୋଲି ପୋଲିସ କହିଥିଲା। ଏହାପରେ ସବ୍ୟସାଚୀ ଦକ୍ଷିଣ ଆଫ୍ରିକାସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ରଞ୍ଜନ ଏ ନେଇ ଭାରତ ସରକାରଙ୍କ ବୈଦଶିକ ମନ୍ତ୍ରୀ ଓ ସଚିବଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ମିଳି ନ ଥିବା କହିଛନ୍ତି।