ନୂଆଦିଲ୍ଲୀ, ୧୫।୫: ଆତଙ୍କବାଦ ବିରୋଧରେ ଭାରତ ସରକାରଙ୍କ ଅପରେଶନ ସିନ୍ଦୂର ପରେ ବୁଧବାର ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି। ଦିଲ୍ଲୀସ୍ଥିତ ତାଙ୍କ ବାସଭବନ ଚାରିପାଖରେ ସୁରକ୍ଷା ବଳୟକୁ କଡ଼ାକଡ଼ି କରାଯାଇଛି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜୟଶଙ୍କରଙ୍କ ସୁରକ୍ଷାରେ ୨ଟି ବୁଲେଟ ପ୍ରୁଫ୍ ଗାଡ଼ିକୁ ସାମିଲ କରାଯାଇଛି। ତେବେ ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ।


