ଦୁବାଇ,୪।୧୧: ଚଳିତ ଟି୨୦ ବିଶ୍ୱକପ୍ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ଅଷ୍ଟ୍ରେଲିଆ ୮ ଉଇକେଟରେ ବାଂଲାଦେଶକୁ ହରାଇ ଦେଇଛି। ତାହା ପୁଣି ୬.୨ ଓଭରରେ। ବଲ ବ୍ୟବଧାନରେ ଏହା ଟି୨୦ ବିଶ୍ୱକପ୍ରେ ଦ୍ୱିତୀୟ ସର୍ବବୃହତ୍ ବିଜୟ। ମ୍ୟାଚ୍ ଆରମ୍ଭରୁ ହିଁ ପ୍ରଭାବୀ ପ୍ରଦର୍ଶନ କରିଥିଲା ଅଷ୍ଟ୍ରେଲିଆ। ପ୍ରଥମେ ବୋଲରମାନେ ବାଂଲାଦେଶକୁ ରୋକି ଦେଇଥିଲେ ମାତ୍ର ୭୩ ରନ୍ରେ। ଆଡାମ ଝାମ୍ପା ୫ ଉଇକେଟ ନେଇଥିବା ବେଳେ ମିଚେଲ ଷ୍ଟାର୍କ ଓ ଜୋଶ ହାଜେଲଉଡ୍ ୨ ଲେଖାଏ ଉଇକେଟ ନେଇଥିଲେ।
ଜବାବରେ ବ୍ୟାଟିଂ ଆରମ୍ଭରୁ ନିର୍ଘାତ ପ୍ରହାର କରିଥିଲେ ଡେଭିଡ୍ ଓ୍ବାର୍ନର (୧୮ ରନ୍, ୩ ଚୌକା) ଓ ଅଧିନାୟକ ଆରୋନ ଫିଞ୍ଚ (୪୦ ରନ୍, ୨ ଚୌକା ଓ ୪ ଛକା)। ଦୁହେଁ ଆଉଟ୍ ହେବା ପରେ ମିଚେଲ ମାର୍ଶ ୫ ବଲରେ ୨ ଚୌକା ଓ ୧ ଛକା ୧୬ ରନ୍ କରି ମ୍ୟାଚ୍ ଶେଷ କରି ଦେଇଥିଲେ। ବିଜୟ ସହ ଅଷ୍ଟ୍ରେଲିଆ ସେମିଫାଇନାଲର ନିକଟତର ହୋଇଛି। ଅନ୍ୟପକ୍ଷରେ ସମସ୍ତ ୫ ମ୍ୟାଚ୍ ଖେଳିସାରିଥିବା ବାଂଲାଦେଶ ଖାଲି ହାତରେ ସୁପର ୧୨’ ପର୍ଯ୍ୟାୟରୁ ଫେରିଛି।


