Categories: ବାଣିଜ୍ୟ

ଭାରତରେ ବ୍ୟବସାୟ କରିପାରେ ରୁଷୀୟ ବ୍ୟାଙ୍କ

ନୂଆଦିଲ୍ଲୀ,୨୧ା୯: ଭାରତୀୟ ମୁଦ୍ରା ରୁପି (ଟଙ୍କା) ଏବଂ ରୁଷିଆ ମୁଦ୍ରା ରୁବଲ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଖୁବ୍‌ଶୀଘ୍ର ଆଶାୟୀ ବ୍ୟାଙ୍କଗୁଡିକୁ ମଞ୍ଜୁରୀ ଦେଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ବିଶେଷକରି ଏକ ଜାତୀୟ ଗଣମାଧ୍ୟମର ରିର୍ପୋଟ ଅନୁସାରେ ବର୍ତ୍ତମାନ ସମୟରେ ୬ରୁ ଅଧିକ ରୁଷୀୟ ବ୍ୟାଙ୍କର ବାଣିଜି୍ୟକ କାରବାର ଏବଂ ନିୟମାବଳୀ ଉପରେ ଅର୍ଥ ମନ୍ତ୍ରଣାଳୟ ଏବଂ ଆର୍‌ବିଆଇ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଛି। ଏପରିକି ଭାରତରେ ବ୍ୟବସାୟ ପାଇଁ ଆଶାୟୀ ରୁଷୀୟ ବ୍ୟାଙ୍କଗୁଡିକ ମଧ୍ୟ ଆର୍‌ବିଆଇ ସହ ବୁଝାମଣାପତ୍ର ସ୍ବାକ୍ଷର ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେହିଭଳି ଉଭୟ ଦେଶର ଆର୍ଥିକ କାରବାର ବୃଦ୍ଧି ସହ ଦ୍ୱିିପାକ୍ଷିକ ବାଣିଜି୍ୟକ ସମ୍ପର୍କ ଉପରେ ମଧ୍ୟ ଆର୍‌ବିଆଇ ଚୂଡାନ୍ତ ମଞ୍ଜୁରୀ ଦେବାକୁ ଯୋଜନା କରୁଥିବା ଜଣାପଡିଛି। ସେହିପରି ଉଭୟ ଦେଶର ସମ୍ପର୍କ ବୃଦ୍ଧି ସାଙ୍ଗକୁ ବ୍ୟାଙ୍କିଙ୍ଗ୍‌ ବ୍ୟବସାୟ ପାଇଁ ଆସନ୍ତା ସପ୍ତାହରୁ ଚୁକ୍ତିନାମା ସମ୍ପର୍କିତ କାର୍ଯ୍ୟ ଉପରେ ମଞ୍ଜୁରୀ ମିଳିବା ଆରମ୍ଭ ହୋଇପାରେ ବୋଲି ଉକ୍ତ ରିର୍ପୋଟରେ କୁହାଯାଇଛି। ରିପୋର୍ଟ ଅନୁସାରେ ରୁପି – ରୁବଲ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ନେଇ ରଷିଆନ ବ୍ୟାଙ୍କଗୁଡିକ ଶୀଘ୍ର ମଞ୍ଜୁରୀ ପାଇଁ ଚାହିଁ ରହିଥିବା ଜଣାପଡିଛି। ଏପରିକି ପୂଜା ପର୍ବରୁ ଆବଶ୍ୟକ ମଞ୍ଜୁରୀ ମଧ୍ୟ ମିଳିପାରେ ବୋଲି ଆକଳନ କରାଯାଇଛି। ରଷିଆନ ବ୍ୟାଙ୍କଗୁଡିକର ସୂଚୀ ବିଚାର ପାଇଁ ଆର୍‌ବିଆଇ ନିକଟକୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ନିର୍ଦ୍ଦେଶାବଳୀ ଓ ସୂଚନା ମଧ୍ୟ ପଠାଯାଇଛି। ଉକ୍ତ ସୂଚୀରେ ପିଏସ୍‌ସିବି ମଧ୍ୟ ସାମିଲ ରହିଛି। ଉଲ୍ଲେଖଯୋଗ୍ୟ, ପିଏସ୍‌ସିବି ଉପରେ ପାଶ୍ଚାତ୍ୟ ରାଷ୍ଟ୍ର ପ୍ରତିବନ୍ଧକ ଲାଗୁ କରିନାହାନ୍ତି। ଉକ୍ତ ରିପୋର୍ଟ ଅନୁସାରେ ଏହି କାରଣରୁ ପିଏସ୍‌ସିବି ୟେସ୍‌ ବ୍ୟାଙ୍କରେ ନିଜର ରୁପି ଆକାଉଣ୍ଟ ଖୋଲିଛି। ଅପରପକ୍ଷରେ ଭିଇବି, ଭିଟିବି, ଏସ୍‌ବେର ବ୍ୟାଙ୍କ ଭଳି ବ୍ୟାଙ୍କିଙ୍ଗ୍‌ ସଂସ୍ଥା ମଧ୍ୟ ଖୁବ୍‌ଶୀଘ୍ର ଭାରତୀୟ ବ୍ୟାଙ୍କ ସହ ଚୁକ୍ତି କରିପାରନ୍ତି ବୋଲି ସୂଚନା ମିଳିଛି। ସେହିପରି ଉକ୍ତ ରଷିଆନ ବ୍ୟାଙ୍କଗୁଡିକ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟକୁ ନିଜର ପ୍ରୋଫାଇଲ ଏବଂ ଆବଶ୍ୟକ ସମ୍ପୂର୍ଣ୍ଣ ବିବରଣୀ ମଧ୍ୟ ପଠାଇଥିଲେ। ସୂଚନାଯୋଗ୍ୟ, ଏହି ବ୍ୟବସାୟ ପାଇଁ ଭାରତୀୟ ବ୍ୟାଙ୍କଗୁଡିକ ମଧ୍ୟରେ ଏସ୍‌ବିଆଇ, କାନାରା ବ୍ୟାଙ୍କ, ୟୁକୋ ବ୍ୟାଙ୍କ ସହ ଅନ୍ୟ ବ୍ୟାଙ୍କଗୁଡିକ ମଧ୍ୟ ସାମିଲ ରହିଛନ୍ତି।

Share