ଶକ୍ତିଶାଳୀ ଭୂକମ୍ପ ଝଟକା, ୭.୦ ତୀବ୍ରତାରେ ଥରିଲା….

ମସ୍କୋ,୧୬।୧୦: ରୁଷିଆର ଦୂର ପୂର୍ବାଞ୍ଚଳରେ ଥିବା କାମଚାଟ୍‌କା ଉପଦ୍ୱୀପ ଅଞ୍ଚଳରେ ଶୁକ୍ରବାର ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (EMSC) ଏବଂ ଭାରତର ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ଭୂକମ୍ପର ତୀବ୍ରତା ୭.୦ ରେକ୍ଟର ସ୍କେଲ୍‌ ରେକର୍ଡ କରାଯାଇଛି । ତେବେ ଆମେରିକାର ଜାତୀୟ ସାମୁଦ୍ରିକ ଓ ବାୟୁମଣ୍ଡଳୀୟ ପ୍ରଶାସନ (NOAA) ପକ୍ଷରୁ ସୁନାମି ସମ୍ପର୍କିତ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ । ଭୂକମ୍ପ ଯୋଗୁଁ କେତେ କ୍ଷୟକ୍ଷତି ହୋଇଛି, ସେନେଇ କୌଣସି ଘୋଷଣା କରାଯାଇ ନାହିଁ ।

ଭାରତୀୟ ସମୟ ଅନୁଯାୟୀ, ଶୁକ୍ରବାର ସକାଳ ୯ଟା ୫ ମିନିଟ୍‌ରେ ଭୂକମ୍ପ ହୋଇଥିବା NCS ପକ୍ଷରୁ ସୂଚନା ଦିଆଯାଇଛି । ଭୂପୃଷ୍ଠଠାରୁ ପ୍ରାୟ ୧୫୨ କିଲୋମିଟର ଗଭୀରତାରେ ଏହାର କେନ୍ଦ୍ରସ୍ଥଳ ରହିଥିଲା। NCS ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ୫୨.୦୬୮ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୧୫୭.୧୬୪ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଚିହ୍ନଟ ହୋଇଛି। ଅନ୍ୟପକ୍ଷରେ, EMSC ମଧ୍ୟ ପ୍ରାଥମିକ ଆକଳନରେ ଭୂକମ୍ପର ତୀବ୍ରତା ୭.୦ ବୋଲି ଦର୍ଶାଇଥିଲା। ଏହାର କେନ୍ଦ୍ରସ୍ଥଳ ରୁଷିଆର ଭିଲ୍ୟୁଚିନ୍‌ସ୍କ ସହରଠାରୁ ପ୍ରାୟ ୧୨୩ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଥିବା ଜଣାପଡ଼ିଛି ।
EMSC ଅନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ ପେଟ୍ରୋପାଭ୍ଲୋଭସ୍କ-କାମଚାଟ୍‌ସ୍କି ସହରଠାରୁ ପ୍ରାୟ ୧୪୬ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପଶ୍ଚିମରେ ଥିଲା। ପ୍ରାୟ ୧.୮୭ ଲକ୍ଷ ଲୋକ ବସବାସ କରୁଥିବା ଏହି ସହର ନିକଟରେ ଭୂକମ୍ପର ପ୍ରଭାବ ନେଇ ଅଧିକ ତଥ୍ୟ ମିଳିବାକୁ ଅପେକ୍ଷା କରାଯାଇଛି। ଏହାର କେନ୍ଦ୍ରସ୍ଥଳ ଓଜେର୍ନୋଭସ୍କି ଅଞ୍ଚଳଠାରୁ ମଧ୍ୟ ପ୍ରାୟ ୮୦ କିଲୋମିଟର ଉତ୍ତର-ଉତ୍ତର-ପୂର୍ବରେ ଥିଲା।

Dharitri – Odisha’s No.1 Odia Daily

Share