ଚାଷୀ ସମସ୍ୟା ନେଇ ବିଡିଓଙ୍କୁ ଭେଟିଲା ଋଷିକୁଲ୍ୟା ରୟତ ମହାସଭା

ପୋଲସରା,୧୩ା୧(ଡି.ଏନ.ଏ.)- ପୋଲସରା ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅଞ୍ଚଳର ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିଡିଓଙ୍କୁ ଋଷିକୁଲ୍ୟା ରୟତ ମହାସଭାର କର୍ମକର୍ତ୍ତା ଭେଟିଛନ୍ତି। ବିଡିଓ କୈଳାସ ଚନ୍ଦ୍ର ମୁର୍ମୁଙ୍କୁ ଭେଟି ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ମୌଖିକ ଆଲୋଚନା କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଚାଷୀଙ୍କ ସମସ୍ୟାଗୁଡ଼ିକ ମଧ୍ୟରେ ରହିଛି ସରକାରଙ୍କ ନିୟମ ଅନୁଯାୟୀ ପ୍ରତି ସୋସାଇଟି ଓ ମହିଳା ଗ୍ରୁପ ଦୈନିକ ୫୦୦ କୁଇଣ୍ଟାଲ ଧାନ କ୍ରୟ କରିବା ଲାଗି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କଲେ ଠିକ୍‌ ଧାନ କିଣାଯାଇପାରିବ। ଟୋକନ୍‌ ଲାପ୍ସ ହେବନାହିଁ। ଲାପ୍ସ ହେଲେ ସମ୍ପୃକ୍ତ ଅଧିକାରୀମାନେ ଦାୟୀ ରହିବେ। କେତେକ ସୋସାଇଟି ଓ ମହିଳା ଗ୍ରୁପ ଚାଷୀମାନଙ୍କୁ ମିଲରେ ନେଇ ଧାନ ଦେବା ପାଇଁ କହୁଛନ୍ତି। ତେଣୁ ପ୍ରତ୍ୟେକ ରାଜସ୍ବ ଗ୍ରାମରେ ଧାନ କ୍ରୟ କେନ୍ଦ୍ର ଖୋଲାଯାଉ, ଚାଷୀଙ୍କ ଅଖା ଟଙ୍କା ଫେରାଇବା ଲାଗି ନିର୍ଦ୍ଦେଶ ପ୍ରଦାନ କରାଯାଉ, ଏଫ୍‌ଏକ୍ୟୁ ନାମରେ କଟ୍‌ନିି ଛଟ୍‌ନି ବନ୍ଦ କରାଯାଉ, ପ୍ରତି ଗ୍ରାମରେ ଚାଷୀ କମିଟି ଗଠନ କରି ଧାନ କ୍ରୟ କରାଯାଉ, ଧାନ କ୍ରୟରେ ସ୍ବଚ୍ଛତା ଅଣାଯାଉ ଆଦି ଦାବି ନେଇ ଋଷିକୁଲ୍ୟା ରୟତ ମହାସଭାର ସୀମାଞ୍ଚଳ ନାହାକ, ସତ୍ୟବାନ ପ୍ରଧାନ, ନାରାୟଣ ପ୍ରଧାନ, ବନମାଳୀ ସାହୁ, ରଘୁନାଥ ପଣ୍ଡାଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ।