ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ଦାବି କଲେ ରୁପା ଗାଙ୍ଗୁଲି

ମୁମ୍ବାଇ,୨୪।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡ୍‌ରେ ନେପୋଟିଜମ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଥିସହ ତାଙ୍କୁ ନ୍ୟାୟ ଦେବା ପାଇଁ ଏହି ମାମଲାର ଯାଞ୍ଚ କରାଯାଉ ବୋଲି ବିଭିନ୍ନ ମହଲରୁ ସ୍ବର ଉଠିଛି। ଇତିମଧ୍ୟରେ ବିଆର୍‌ ଚୋପ୍ରାଙ୍କ ମହାଭାରତରେ ଦ୍ରୌପଦୀଙ୍କ ଚରିତ୍ର ଅଭିନୟ କରିଥିବା ରୁପା ଗାଙ୍ଗଲି ମଧ୍ୟ ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ମାମଲାର ସିବିଆଇ ଯାଞ୍ଚ କରିବାକୁ ଦାବି କରିଛନ୍ତି। ରୁପା ଟୁଇଟ କରି #ସବିଆଇ ଫର ସୁଶାନ୍ତ ଲେଖିବା ସହ କେତେକ ପ୍ରଶ୍ନ କରିଛନ୍ତି। ଯେପରି ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ବହୁ ତରବରିଆ ଭାବେ ଯାଞ୍ଚ କରାଯାଇଛି କି, ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ଶରୀରରେ କୌଣସି ବିଷ ମିଳିଛି କି, ସିସିଟିଭି ଭିଡିଓକୁ ଫୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯାଇଛି କି ବୋଲି ରୁପା ପ୍ରଶ୍ନ କରିଛନ୍ତି। ଏତଦ୍‌ ବ୍ୟତୀତ ସେ କହିଛନ୍ତି, ଯେତେବେଳେ ଘରୁ କୌଣସି ସୁଇସାଇଡ ନୋଟ ହିଁ ମିଳି ନ ଥିଲା ତେବେ କେଉଁ ପରିସ୍ଥିତିରେ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି ଘୋଷଣା କଲା। ଜଣେ ଭର୍ସାଟାଇଲ୍‌ ଓ ସଫଳ ଅଭିନେତା ଏଭଳି ପଦକ୍ଷେପ କିପରି ନେଇପାରିବ ବୋଲି ରୁପା ପ୍ରଶ୍ନ କରିବା ସହ ଯାଞ୍ଚ ପାଇଁ ଦାବି କରିଛନ୍ତି।

Share