୭୫ ଲକ୍ଷ ଟଙ୍କା ଠକେଇ ମାମଲା: ଲ୍ୟାମ୍ପ ଏମଡି ଗିରଫ

ଗୁଣପୁର,୨୨/୫(ସୁଜାତା ପାଢ଼ୀ):ସମବାୟ ଅନୁଷ୍ଠାନରେ ଆର୍ଥିକ ଅନିୟମିତତା ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ସୱରୂପ ଓଡ଼ିଶା ଭିଜିଲାନ୍ସ ଶୁକ୍ରବାର ରାୟଗଡ଼ା ଜିଲାର କେ.ସିଂହପୁର ବୃହତ୍‌ ଅଞ୍ଚଳ ବହୁମୁଖୀ ସମବାୟ ସମିତି (LAMPCS)ର ପରିଚାଳନା ନିଦ୍ଦେଶକ ତାରିଣୀ ପ୍ରସାଦ ତ୍ରିପାଠୀଙ୍କୁ ଗିରଫ କରିଛି। ତ୍ରିପାଠୀଙ୍କ ବିରୋଧରେ LAMPCSର ୭୫ ଲକ୍ଷ ଟଙ୍କାର ପାଣ୍ଠି ହଡ଼ପ କରିଥିବା ଅଭିଯୋଗ ହୋଇଛି l
ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଦସ୍ତାବିଜ ଯାଞ୍ଚରୁ ଜଣାପଡ଼ିଛି ଯେ, ଏହି ଠକେଇ କାର୍ଯ୍ୟ ୨୦୨୪ ଓ ୨୦୨୬ ମଧ୍ୟରେ ହୋଇଥିଲା । ଅଭିଯୁକ୍ତ ତ୍ରିପାଠୀ ସରକାରୀ ରେକର୍ଡ ଗୁଡ଼ିକୁ ଯୋଜନାବଦ୍ଧ ଭାବେ ହେରାଫେରି କରି ଏହି ଠକେଇ କରିଥିବା ଅଭିଯୋଗ ହୋଇଛି। ଏହା ସହିତ ତଦନ୍ତରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ, ହଡ଼ପ ହୋଇଥିବା ୭୫ ଲକ୍ଷ ଟଙ୍କା ସମବାୟ ସମିତିର ପ୍ରାଥମିକ ସଦସ୍ୟମାନଙ୍କର ସିଧାସଳଖ ସଞ୍ଚୟ ଓ ଜମା ରାଶି ଥିଲା,ଯାହା ଆର୍ଥିକ ସୁରକ୍ଷା ପାଇଁ ଅନୁଷ୍ଠାନ ଉପରେ ନିର୍ଭର କରୁଥିବା ସ୍ଥାନୀୟ ଅଂଶୀଦାରମାନଙ୍କୁ ସିଧାସଳଖ ପ୍ରଭାବିତ କରିଛି l ଏହି ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ଥାନା ମାମଲା ନଂ.୮ ତାରିଖ ୨୧.୦୫.୨୦୨୬ ଦୁର୍ନୀତି ନିବାରଣ ଆଇନ, ୨୦୧୮/BNS, ୨୦୨୩ ଅନୁଯାୟୀ କେ.ସିଂହପୁର LAMPCS, ଜିଲା-ରାୟଗଡ଼ାର ପରିଚାଳନା ନିର୍ଦ୍ଦେଶକ ତାରିଣୀ ପ୍ରସାଦ ତ୍ରିପାଠୀଙ୍କ ବିରୋଧରେ ରୁଜୁ ହୋଇଛି l ତାଙ୍କୁ ଆଜି କୋର୍ଟ ଚାଲାଣ କରାଯାଉଛି। ମାମଲାର ତଦନ୍ତ ଜାରି ରହିଛି।

 

Dharitri – Odisha’s No.1 Odia Daily

 

Share