ଶିକ୍ଷକଙ୍କଠାରୁ ୧୨ଲକ୍ଷ ଟଙ୍କା ଲୁଟ୍‌ ଘଟଣା ମୁଖ୍ୟ ଅଭିଯୁକ୍ତ ଗିରଫ, ୯ ଲକ୍ଷ ଜବତ

ଭଦ୍ରକ ଅଫିସ, ୨୪।୬: ଭଦ୍ରକ ସହରର ଅପର୍ତିବିନ୍ଧା ଛକ ନିକଟ ଷ୍ଟେଟବ୍ୟାଙ୍କ ସାମ୍ନାରୁ ଗତ ୯ ତାରିଖରେ ଜଣେ ଶିକ୍ଷକଙ୍କଠାରୁ ୧୨ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗୁରୁବାର ରାତିରେ ଭଦ୍ରକ ଟାଉନ ପୋଲିସ ଗିରଫ କରିଛି। ସେ ହେଲେ ଗଞ୍ଜାମ ଜିଲା ଆସିକା ଥାନା ମରାଠୀବାସା ପକାଳପଲ୍ଲୀର ଏମ୍‌. ଶ୍ରୀକାନ୍ତ। ତାଙ୍କୁ ଗିରଫ କରି ଭଦ୍ରକ ଆଣିବା ପରେ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଖବରଦାତା ସମ୍ମିଳନୀରେ ଏସ୍‌ପି ଚରଣ ସିଂ ମୀନା ସୂଚନା ଦେଇଛନ୍ତି। ତାଙ୍କ ନିକଟରୁ ଜବତ ହୋଇଥିବା ୯ ଲକ୍ଷ ଟଙ୍କା ଉକ୍ତ ଶିକ୍ଷକଙ୍କୁ ପ୍ରଦାନ କରାଯାଇଛି। ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ, ଆଗରପଡ଼ା କୃଷ୍ଣଚନ୍ଦ୍ର ବିଦ୍ୟାମନ୍ଦିର ଶିକ୍ଷକ ଅଶୋକ ଖିଲାର ଜମି କିଣିବା ପାଇଁ ଉକ୍ତ ବ୍ୟାଙ୍କରୁ ୧୨ଲକ୍ଷ ଟଙ୍କା ଉଠାଇଥିଲେ। ସେ ବାଇକ୍‌ରେ ବସିଥିବା ସମୟରେ ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପି ନେଇ ପଳାଇଥିଲେ। ଏନେଇ ଅଶୋକଙ୍କ ଅଭିଯୋଗ କ୍ରମେ ଟାଉନ ଥାନାରେ ମାମଲା(ନଂ. ୨୧୮/୨୨) ରୁଜୁ ହୋଇଥିଲା। ଟାଉନ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ପୂର୍ବରୁ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଅପରାଧୀମାନଙ୍କ ଉପରେ କଡ଼ା ନଜର ରଖାଯାଇଥିଲା।