ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ ଏକ କାରର ଡିକି ଭାଙ୍ଗି ସେଥିରୁ ଦେଢ଼ ଲକ୍ଷ ଟଙ୍କା ସହ ବ୍ୟାଙ୍କ ପାସ୍ବୁକ୍ ଓ ଚେକ୍ବୁକ୍ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ଛତ୍ରପୁର ନ୍ୟୁ ପୋଲିସ ଲାଇନ୍ର ବାସିନ୍ଦା ପୂର୍ଣ୍ଣଚନ୍ଦ୍ର ସେନାପତି ଜଣେ ଜମି ବ୍ୟବସାୟୀ। ଗୁରୁବାର ସେ ଏକ କାରବାର ବାବଦରେ ଜଣେ ବ୍ୟକ୍ତିଙ୍କଠାରୁ ୨ ଲକ୍ଷ ୫୦ ହଜାର ଟଙ୍କା ଗ୍ରହଣ କରିଥିଲେ। ଏହି ଟଙ୍କାକୁ ସେ ନିଜ ଗାଡ଼ିର ଡିକିରେ ରଖିଥିଲେ।
ପରେ ସେ ସେହି ଟଙ୍କାରୁ ୧ ଲକ୍ଷ ଟଙ୍କା ଅନ୍ୟ ଜଣଙ୍କୁ ପ୍ରଦାନ କରି ବଳକା ଦେଢ଼ ଲକ୍ଷ ଟଙ୍କା ସହ ବ୍ୟାଙ୍କ ଅଫ୍ ବରୋଦାର ପାସ୍ବୁକ୍ ଏବଂ ଚେକ୍ବୁକ୍କୁ ଗାଡ଼ିର ଡିକିରେ ରଖି ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ଭିତରକୁ ଯାଇଥିଲେ। କିଛି ସମୟ ପରେ ଫେରି ଦେଖିବା ବେଳେ ଗାଡ଼ିର ଡିକି ଭାଙ୍ଗିଯାଇଥିବା ସହ ସେଥିରେ ଥିବା ଦେଢ଼ ଲକ୍ଷ ଟଙ୍କା, ବ୍ୟାଙ୍କ ପାସ୍ବୁକ୍ ଓ ଚେକ୍ବୁକ୍ ଲୁଟ୍ ହୋଇଯାଇଥିବା ଜଣାପଡ଼ିଥିଲା।
ଖବର ପାଇ ଛତ୍ରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଖପାଖରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଦୁର୍ବୃତ୍ତମାନଙ୍କୁ ଠାବ କରିବା ପାଇଁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।