ଓସ୍କାର ପାଇବା ପାଇଁ ନିର୍ମାତା ଖର୍ଚ୍ଚ କରିଛନ୍ତି ୮୦ କୋଟି? ରାଜାମୌଲିଙ୍କ ପୁଅ କାର୍ତ୍ତିକେୟ ଦେଲେ ଜବାବ

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ଏସ୍‌ଏସ୍‌ ରାଜାମୌଲିଙ୍କ ସୁପରହିଟ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ଗୀତ‘ନାଟୁ ନାଟୁ ’ଓସ୍କାର ଜିତି ଇତିହାସ ସୃଷ୍ଟି କରିଛି। ଆନ୍ତର୍ଜାତୀୟ ସ୍ତରରେ ‘ଆର୍‌ଆର୍‌ଆର୍‌’ର ବିଜୟକୁ ସମଗ୍ର ଦେଶ ପାଳନ କରିଥିଲା। ତେବେ ଓସ୍କାରକୁ ନେଇ ନିର୍ମାତା କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି କିଛି ଉପଭୋକ୍ତା ପ୍ରଶ୍ନ ଉଠାଇ ଗୁଜବ ପ୍ରଚାର ସୃଷ୍ଟି କରିଥିଲେ।

କେତେକ ରିପୋର୍ଟରେ କୁହାଯାଉଥିଲା କି ରାଜାମୌଲି ଓସ୍କାର ପାଇବା ପାଇଁ ୮୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହା ମଧ୍ୟ କୁହାଯାଇଥିଲା ଯେ ଓସ୍କାରରେ ଯୋଗଦେବା ପାଇଁ ‘ଆର୍‌ଆର୍‌ଆର୍‌’ଟିମ୍‌ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଏଥିସହିତ ଚଳଚ୍ଚିତ୍ର ନିର୍ମାତା ଏସ୍‌ଏସ୍‌ ରାଜାମୌଲିଙ୍କ ପୁଅ କାର୍ତ୍ତିକେୟ ଏହି ଗୁଜବ ଉପରେ ନୀରବତା ଭାଙ୍ଗିଛନ୍ତି ଏବଂ ଟ୍ରୋଲରଙ୍କୁ ମଧ୍ୟ ଉଚିତ୍‌ ଉତ୍ତର ଦେଇଛନ୍ତି।

ନିକଟରେ ଏକ ସାକ୍ଷାତକାରରେ କାର୍ତ୍ତିକେୟ ସ୍ପଷ୍ଟ କରିଛନ୍ତି ଯେ, ସେ ଏତେ ପରିମାଣର ଟଙ୍କା ଖର୍ଚ୍ଚ କରିନାହାଁନ୍ତି ଏବଂ ଏହାକୁ ଗୁଜବ ବୋଲି କହିଛନ୍ତି। ସେ କହିଛନ୍ତି, ଏହି ଅଭିଯାନ ପାଇଁ ୮.୫ କୋଟି ଟଙ୍କା ଖର୍ଚ୍ଚ କରିଥିଲୁ। ଯୁକ୍ତରାଷ୍ଟ୍ରର କେତେକ ସହରରେ ‘ଆର୍‌ଆର୍‌ଆର୍‌’ ପାଇଁ ସ୍ବତନ୍ତ୍ର ସ୍କ୍ରିନିଂ ବ୍ୟବସ୍ଥା କରାଯାଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ଓସ୍କାର କିଣାଯାଇପାରିବ ନାହିଁ, ଲୋକଙ୍କ ପ୍ରେମ କିଣାଯାଇପାରିବ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ୯୫ ବର୍ଷର ଦୀର୍ଘ ଇତିହାସରେ ଏହା ଏକ ଅନୁଷ୍ଠାନ ଏବଂ ସେଠାରେ ଥିବା ସମସ୍ତ କାର୍ଯ୍ୟ ଏକ ପ୍ରକ୍ରିୟା ଅଧୀନରେ କରାଯାଇଥାଏ।

Share