୨୦ ପଇସାରେ ଗଡ଼ିବ ୧ କି.ମି.

ଢେଙ୍କାନାଳ ଅଫିସ, ୩।୭: ମାତ୍ର ୨୦ ପଇସା ଖର୍ଚ୍ଚ କଲେ ବାଇକ୍‌ ଗଡ଼ିବ ୧ କିଲୋମିଟର। ନା ପକାଇବାକୁ ପଡ଼ିବ ପେଟ୍ରୋଲ ନା ରହିବ ପ୍ରଦୂଷଣ ଚିନ୍ତା। ପରିବେଶ ଅନୁକୂଳ ଏଭଳି ଏକ ଇ-ବାଇକ୍‌ ନିର୍ମାଣ କରି ପ୍ରଶଂସା ସାଉଁଟୁଛନ୍ତି ଢେଙ୍କାନାଳ ସିନର୍ଜି ଇଞ୍ଜିନିୟରିଂ କଲେଜର ମେଧାବୀ ବିଦ୍ୟାର୍ଥୀ। ଡିପ୍ଲୋମା ବିଭାଗର ମେକାନିକାଲ ଏବଂ ଇଲେକ୍ଟ୍ରିକାଲ ବ୍ରାଞ୍ଚ ଛାତ୍ରଙ୍କ ଦ୍ୱାରା ନିର୍ମିତ ଏହି ବାଇକ୍‌କୁ ଶନିବାର ଲୋକାର୍ପଣ କରିଛନ୍ତି ଜିଲାପାଳ ସରୋଜ କୁମାର ସେଠୀ। ଏହାର ନାମ ଦିଆଯାଇଛି ‘ସିନର୍ଜି ଇ-ବାଇକ୍‌’। ଜିଲାପାଳ ଉକ୍ତ ବାଇକ୍‌ ଚଲାଇବା ପରେ ନିଜର ଅନୁଭୂତି ବାଣ୍ଟିଛନ୍ତି। ଦିନକୁ ଦିନ ତୈଳ ଦର ଆକାଶଛୁଅଁା ହେଉଛି। ଆଗାମୀ ଦିନରେ ଏହାର ବିକଳ୍ପ ସାଜିବ ଇ-ବାଇକ୍‌। ପ୍ରଦୂଷଣକୁ ମଧ୍ୟ ରୋକାଯାଇପାରିବ। ସିନର୍ଜି ଇଞ୍ଜିନିୟରିଂ କଲେଜ ପିଲାମାନଙ୍କ ଦ୍ୱାରା ନିର୍ମିତ ଏହି ବାଇକ୍‌ ସଫଳ ପ୍ରୟାସ। ଏଥିଲାଗି ସେମାନେ ପ୍ରଶଂସାର ହକ୍‌ଦାର ବୋଲି ଜିଲାପାଳ କହିଛନ୍ତି।
ସ୍ଥାନୀୟ ଶିଳ୍ପ ନିଗମ ମୁଖ୍ୟ ପରିଚାଳକ ପି. ପ୍ରଭାକର ରାଓ କହିଲେ, ଛାତ୍ରଙ୍କ ଦ୍ୱାରା ନିର୍ମିତ ଇ-ବାଇକ୍‌ର ବ୍ୟବସାୟୀକରଣ ହୋଇପାରିଲେ ଏହାର ସୁଫଳ ମିଳିବ। ଜିଲା ପ୍ରଶାସନ ଏବଂ ଶିଳ୍ପ ନିଗମର ସହଯୋଗ ମିଳିଲେ ଏଭଳି ନୂତନ ପ୍ରୋଜେକ୍ଟ ପ୍ରସ୍ତୁତ କରାଯାଇପାରିବ ବୋଲି ମହାବିଦ୍ୟାଳୟ ପରିଚାଳନା ପରିଷଦ ଅଧ୍ୟକ୍ଷ ବିନୋଦ ଦାଶ ଆଶାବ୍ୟକ୍ତ କରିଛନ୍ତି। ନୂତନ ବାଇକ୍‌ କ୍ରୟ କରିବା ବଦଳରେ ପୁରୁଣା ଗାଡ଼ିକୁ ଇ-ବାଇକ୍‌ରେ ପରିବର୍ତ୍ତନ କରାଯାଇପାରିବ। ଏଥିରେ ଜିପିଏସ୍‌ ଟେକ୍ନୋଲୋଜି ଓ ଆଣ୍ଟିଥେପ୍ଟ ଫିଚର ରହିଛି। ଫଳରେ ସହଜରେ ଗନ୍ତବ୍ୟସ୍ଥଳରେ ପହଞ୍ଚତ୍ ହେବ। ଏଥିସହ ଚୋରିରୁ ମଧ୍ୟ ସୁରକ୍ଷା ମିଳିବ। ଇଚ୍ଛୁକ ବ୍ୟକ୍ତି ପୁରୁଣା ଗାଡ଼ିକୁ ଆଣିଲେ ଏହାକୁ ‘ଇ-ବାଇକ’ରେ ରୂପାନ୍ତରଣ କରିହେବ ବୋଲି ପ୍ରକଳ୍ପର ଗାଇଡ୍‌ ଅଧ୍ୟାପକ ଦେବାଶିଷ ରାଉତ ସୂଚନା ଦେଇଛନ୍ତି। ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷ ସରୋଜ କୁମାର ନାୟକ, ଡିଗ୍ରୀ ବିଭାଗ ଅଧ୍ୟକ୍ଷା ଡ. ଇତିଶ୍ରୀ ମହାନ୍ତି, ବରିଷ୍ଠ ଅଧ୍ୟାପକ ସୁବ୍ରତ କୁମାର ବେହେରା, ପ୍ରଶାସନିକ ଅଧିକାରୀ ଚନ୍ଦ୍ରକାନ୍ତ ମିଶ୍ର ପ୍ରମୁଖ ଇ-ବାଇକ୍‌ ଲୋକାର୍ପଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।